ବେଙ୍ଗାଲୁର: ସୁଲତନ ଅଜଲାନ ଶାହ କପକୁ ମାତ୍ର 5 ଦିନ ରହିଲା । 28ତମ ଆଜଲାନ ଶାହ କପ ମାଲେସିଆର ଇପୋହରେ ଆୟୋଜିତ ହେବ । ଏଥିରେ ମୋଟ୍ 6ଟି ଦଳ ଭାଗ ନେବେ । ଟୁର୍ଣ୍ଣାମେଣ୍ଟଟି 23 ମାର୍ଚ୍ଚରୁ ଆରମ୍ଭ ହୋଇ 30ମାର୍ଚ୍ଚ ଯାଏଁ ଚାଲିବ । ତେବେ ଇପୋହକୁ ଗସ୍ତ କରିବା ପୂର୍ବରୁ ଭାରତ ଦଳର ଅଧିନାୟକ ମନପ୍ରୀତ ସିଂ ରବିବାର ଦିନ ମିଡିଆ ସମ୍ମାନରେ ଟୁର୍ଣ୍ଣାମେଣ୍ଟକୁ ନେଇ ସକରାତ୍ମକ ଭାବନା ବ୍ୟକ୍ତ କରିଛନ୍ତି ।
ସେ କହିଛନ୍ତି ଯେ, ଆଗକୁ ଓଡିଶାରେ ଖେଳିବାକୁ ଥିବା 2019 ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ପୂର୍ବରୁ ସକରାତ୍ମକ ଆରମ୍ଭ କରିବା ପାଇଁ ଦଳ ବେଶ୍ ଉତ୍ସୁକ ଅଛି । ପୂରା ଦଳ ରାଷ୍ଟ୍ରୀୟ ଶିବିରରେ ବେଶ୍ ପରିଶ୍ରମ କରିଛି । ଇପୋହରେ ଗରମ ଜଳବାୟୁରେ ଖେଳିବାକୁ ପଡିବ । ତେଣୁ ସେହି ପାଗ ସହ ଖାପ ଖୁଆଇବା ପାଇଁ ପ୍ରାୟତଃ ଦ୍ବିପ୍ରହର ସମୟରେ ମ୍ୟାଚ୍ ଅଭ୍ୟାସ କରିଛୁ ।
ସୂଚନାଥାଉକି,23 ମାର୍ଚ୍ଚରେ ଭାରତ ତା'ର ପ୍ରଥମ ମ୍ୟାଚ୍ ଜାପାନ ସହ ଖେଳିବ । ଏହି ମ୍ୟାଚ୍ ଜିତିବା ପାଇଁ ଟିମକୁ ଜୋର୍ ଦେବାକୁ ପଡିବ ବୋଲି ଅଧିନାୟକ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଟିମରେ ଅନେକ ଯୁବ ଖେଳାଳି ଅଛନ୍ତି । ତେଣୁ ସମସ୍ତଙ୍କୁ ନେଇ ଏକସହ ଖେଳିବା ଆମ ପାଇଁ କଠିନ ପରୀକ୍ଷା ସାବ୍ୟସ୍ତ ହେବ ।
ତେବେ ଭାରତ 24 ମାର୍ଚ୍ଚରେ କୋରିଆ, 26ମାର୍ଚ୍ଚରେ ମାଲେସିଆ ଓ 29ମାର୍ଚ୍ଚରେ ପୋଲାଣ୍ଡ ବିପକ୍ଷରେ ଖେଳିବ ।
ବିଶ୍ବକପକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି ମନପ୍ରୀତ । 2018 ବିଶ୍ବକପ କ୍ବାର୍ଟର ଫାଇନାଲରେ ହାରିବା ପରେ ଟିମ୍ ବହୁତ ପରିଶ୍ରମ କରିଛି । ଏବେ ଦଳ ଚାପରେ ମଧ୍ୟ ବେଶ୍ ନିଜକୁ ସମ୍ଭାଳି ଖେଳି ପାରିବ ବୋଲି ଅଧିନାୟକ ମନପ୍ରୀତ ସିଂ କହିଛନ୍ତି । ଏଥିସହ ଆଉ ମଧ୍ୟ ସେ କହିଛନ୍ତି ଯେ, ବିଶ୍ବକପରୁ ଆମ୍ଭମାନଙ୍କୁ ବେଶ୍ ଶିଖିବାକୁ ମିଳିଛି । ଆମେମାନେ କ୍ବାର୍ଟରରେ ହାରିଗଲୁ ସତ କିନ୍ତୁ ସାରା ବିଶ୍ବ ଏକ ଯୁବ ଟିମକୁ ଦେଖିଛି, ଯିଏ ଖେଳ ପାଇଁ ଟର୍ଫରେ ପୂରା ଜୋର୍ ଲଗାଇ ଦେଇଛି ।