ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା ହକି ଦଳ ମୁଖ୍ୟ କୋଚ ପଦରୁ ପାଉଲ ଗଡୱିନଙ୍କ ଇସ୍ତଫା। ଅଷ୍ଟ୍ରେଲିଆ ହକିରେ ସଂସ୍କାର ନଥିବା ଅଭିଯୋଗ କରି ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଟୋକିଓ ଅଲିମ୍ପିକ୍ସକୁ ମାତ୍ର 4ମାସ ବାକି ଥିବା ବେଳେ ଅଷ୍ଟ୍ରେଲିଆ ମହିଳା ହକିଦଳ ମୁଖ୍ୟକୋଚ ପଦରୁ ଇସ୍ତଫାକୁ ନେଇ ଚିନ୍ତାରେ ରହିଛନ୍ତି ଅଷ୍ଟ୍ରେଲିଆ ହକି ଫେଡେରେସନ। ବୁଧବାର ବିଳମ୍ବିତ ରାତିରେ ଏହାକୁ ନେଇ ସୂଚନା ଦେଇଛନ୍ତି ପାଉଲ ଗଡୱିନ।
ପାଉଲ ଗଡୱିନ ଅନ୍ୟ କେଉଁ କାରଣରୁ ଇସ୍ତଫା ଦେଇଛନ୍ତି ସେନେଇ କୌଣସି ତଥ୍ୟ ହକି ଅଷ୍ଟ୍ରେଲିଆ ସର୍ବସମ୍ମୁଖରେ ପ୍ରକାଶ କରି ପାରିବ ନାହିଁ ବୋଲି କହିଛି। ପାଉଲ ଗଡୱିନ 1996ରେ ଆଟଲାଣ୍ଟା ଓ 2000 ମସିହାରେ ସିଡନୀରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ 2016 ମସିହାରେ ଅଷ୍ଟ୍ରେଲିଆ ମହିଳା ହକି ଦଳର କୋଚ ଭାବରେ ଦାୟିତ୍ବ ନେଇଥିଲେ।
ଏହାପୂର୍ବରୁ ଅଷ୍ଟ୍ରେଲିଆ ହକି ଫେଡେରେସନର ସମର୍ଥନ ନଥିବା ଅଭିଯୋଗ କରି ଟିମ ମ୍ୟାନେଜର ପଦରୁ ଟୋନୀ କମ୍ପଷ୍ଟନ ଇସ୍ତଫା ଦେଇଥିଲେ। ତାଙ୍କ ସହ ଜଣେ ଚୟନକର୍ତ୍ତା ଓ ଜଣେ ସହକାରୀ କୋଚ ମଧ୍ୟ ଦଳ ଛାଡ଼ି ଚାଲି ଯାଇଥିଲା। ଗତ ଏକ ବର୍ଷ ହେଲା ଅଷ୍ଟ୍ରେଲିଆ ମହିଳା ହକି ଦଳରେ ବିବାଦ ଲାଗି ରହିଛି। ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା। ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ମଧ୍ୟରେ ନାନା ବିବାଦ ହୋଇଥିବା ଦେଖିବାକୁ ମିଳିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ