ଯାଜପୁର: କ୍ରୀଡା ନାଁରେ ଏକ ବନ୍ଧୁତ୍ବର ପରାକାଷ୍ଠା ଦେଖିବାକୁ ମିଳିଥିଲା ଯାଜପୁରର କଳିଙ୍ଗନଗର ଶିଳ୍ପାଞ୍ଚଳରେ । କମ୍ପାନୀ, ଜିଲ୍ଲା ପ୍ରଶାସନ, ନିର୍ବାଚିତ ଜନ ପ୍ରତିନିଧି ଓ ବିସ୍ଥାପିତ ପରିବାର ଏକାଠି ହୋଇଥିଲେ ଖେଳ ପଡିଆରେ । ଏମାନେ ପୃଥକ ପୃଥକ ଦଳ ହୋଇ ଗୋଟିଏ ପଡିଆରେ ଫୁଟବଲ୍ ଖେଳିଥିଲେ । ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ପ୍ରଶାସନ ଟିମରେ ସାମିଲ ହୋଇଥିଲେ । ଟାଟାଷ୍ଟିଲ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଫ୍ରେଣ୍ଡସିପ୍ ଫୁଟବଲ ମ୍ୟାଚ୍ । ଯାହା ସୃଷ୍ଟି କରିଥିଲା ଏକ ନିଆରା ଅନୁଭୁତି । ଉଦ୍ଦେଶ୍ୟ ଥିଲା ଏ ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ।
ଏ ହେଉଛି କଳିଙ୍ଗନଗର ଟାଟାଷ୍ଟିଲ କାରଖାନାର ଟ୍ରେନିଂ କ୍ୟାମ୍ପ ଖେଳପଡିଆ । ଯେଉଁଠି ଆୟୋଜିତ ହୋଇଥିଲା ଏକ ଫ୍ରେଣ୍ଡସିପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ । ଯେଉଁ ଟୁର୍ଣ୍ଣାମେଣ୍ଟରେ ଖେଳାଳି ଭାବରେ ଅଂଶଗ୍ରହଣ କରିଥିଲେ ପରସ୍ପର ବିରୋଧି ଗୋଷ୍ଠୀର ଖେଳାଳିମାନେ । ତେବେ 2006ମସିହାରେ କଳିଙ୍ଗନଗରରେ ଟାଟାଷ୍ଟିଲ କାରଖାନା ପ୍ରତିଷ୍ଠାକୁ ବିରୋଧ କରି ପୋଲିସ୍ ଓ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଓ ଗୁଳିକାଣ୍ଡ ଘଟି 14ଜଣ ଆଦିବାସୀ ମୃତ୍ୟୁବରଣ କରିଥିଲେ । ଆଜି ସେହି ବିସ୍ଥାପିତ ପରିବାରର ସଦସ୍ୟ ମାନେ ଟାଟା କମ୍ପାନୀ ଓ ଜିଲ୍ଲା ପ୍ରଶାସନ ସହିତ ଫୁଟବଲ୍ ଖେଳରେ ଅଂଶଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସୁକିନ୍ଦା ଏବଂ ଦାନଗଦୀ ପଞ୍ଚାୟତ ସମିତିର ନିର୍ବାଚିତ ଜନପ୍ରତିନିଧିଙ୍କର ଏକ ଦଳ ମଧ୍ୟ ଭାଗ ନେଇଥିଲେ । ଯାହା ଏଠାରେ ଏକ ଅଭୂତପୂର୍ବ ପରିବର୍ତ୍ତନର ବାର୍ତ୍ତା ଦେଇଛି ଏହି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ । ତେବେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଜିଲ୍ଲା ପ୍ରଶାସନ ଟିମକୁ 3-1 ଗୋଲରେ ହରାଇ ଟାଟାଷ୍ଟିଲ ଚମ୍ପିୟାନ ହୋଇଥିଲା ।
ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଆକାରରେ ଅଂଶଗ୍ରହଣ କରିଥିଲେ ଟାଟାକମ୍ପାନୀ, ଜିଲ୍ଲା ପ୍ରଶାସନ, ନିର୍ବାଚିତ ଜନ ପ୍ରତିନିଧି ଓ ବିସ୍ଥାପିତ ପରିବାର । ଜିଲ୍ଲାପ୍ରଶାସନ ଟିମରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଦୁଇ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ପୋଲିସ ପ୍ରଶାସନର ଅନ୍ୟ ଅଧିକାରୀ ମାନେ ମଧ୍ୟ ସାମିଲ ଥିଲେ । ଟାଟାଷ୍ଟିଲର ପଦାଧିକାରୀ ଓ କର୍ମଚାରୀଙ୍କର ଟିମ୍ ଏହି ଖେଳରେ ଭାଗନେଇଥିବା ବେଳେ ବିସ୍ଥାପିତ ପରିବାର ଟିମରେ ସାମିଲ ହୋଇଥିଲେ ବିସ୍ଥାପନ ବିରୋଧି ଜନମଞ୍ଚ, ବିସ୍ଥାପିତ ସୁରକ୍ଷା ସମିତି ଆଦି ବିଭିନ୍ନ ସଂଗଠନର ନେତୃଗଣ ଓ ବିସ୍ଥାପିତ ପରିବାରର ସଦସ୍ୟ ମାନେ । ସେହିପରି ସୁକିନ୍ଦା ଏବଂ ଦାନଗଦୀ ପଞ୍ଚାୟତ ସମିତିର ନିର୍ବାଚିତ ଜନପ୍ରତିନିଧିଙ୍କୁ ନେଇ ଆଉ ଏକ ଟିମ୍ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲା । ଏଥିରେ ସ୍ଥାନୀୟ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ ଅତିଥି ଭାବେ ଯୋଗଦେଇ ଉଭୟ ଚମ୍ପିୟାନ ଓ ରନର୍ସ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଟାଟାଷ୍ଟିଲ ପକ୍ଷରୁ ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିବାରୁ ସମସ୍ତେ ଏହାର ପ୍ରଶଂସା କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ