ମାଦ୍ରିଦ: ଚଳିତ ଲା ଲିଗା ଟୁର୍ଣ୍ଣାମେଣ୍ଟରେ ସେଭିଲା କ୍ଳବକୁ ମିଳିଛି ବଡ ସଫଳତା । ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଦମଦାର ପ୍ରଦର୍ଶନ ସହ, ଆଥଲେଟିକ ବିଲବାଓକୁ 2-1 ଗୋଲ ହରାଇଛି ।
ମ୍ୟାଚରେ 0-1ରେ ପଛୁଆ ଥିବା ସେଭିଲା ଚମତ୍କାର ପ୍ରଦର୍ଶନ ସହ ଅବିଶ୍ବସନୀୟ ଭାବେ ବିଜୟୀ ହୋଇଥିଲା । ଏଥିସହିତ ଚମ୍ପିଆନ୍ସ ଲିଗର ପରବର୍ତ୍ତୀ ସଂସ୍କରଣ ପାଇଁ ଟିକେଟ ହାତେଇବାର ନିକଟବର୍ତ୍ତୀ ହୋଇଛି । ଲା ଲିଗା ପଏଣ୍ଟ ଟେବୁଲର ଶୀର୍ଷ 4ଟି ଟିମ ଚମ୍ପିଆନ୍ସ ଲିଗ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ।
ରିୟଲ ମାଦ୍ରିଦ 34 ମ୍ୟାଚଖେଳି 77 ପଏଣ୍ଟ ସହ ତାଲିକାର ପ୍ରଥମ ସ୍ଥାନରେ ରହିଛି । 2ୟ ସ୍ଥାନରେ ଲିଓନେଲ ମେସିଙ୍କ ଟିମ ବାର୍ସେଲୋନା 35ଟି ମ୍ୟାଚ ଖେଳି 76 ପଏଣ୍ଟ ସହ ଗୋଟିଏ ପଏଣ୍ଟ ପଛରେ ରହିଛି । 3 ସ୍ଥାନରେ ଆଥଲେଟିକୋ ମାଦ୍ରିଦ 63 ଓ 4ର୍ଥ ସ୍ଥାନରେ ସମାନ ପଏଣ୍ଟ ସହ ସେଭିଲା ରହିଛି ।
9ମ ସ୍ଥାନରେ ଥିବା ଆଥଲେଟିକ କ୍ଳବ ପକ୍ଷରୁ ପ୍ରଥମେ ଆଣ୍ଡର କାପା 29ତମ ମିନିଟରେ ପ୍ରଥମ ଗୋଲ କରିଥିଲେ । ମାତ୍ର ସେଭିଲା ଦମଦାର କମବ୍ୟାକ କରିବା ସହ ମ୍ୟାଚର ଶେଷ ଭାଗରେ 69ତମ ମିନିଟରେ ଭେର ବେନେଗା ଓ 74ତମ ମିନିଟରେ ମୁନିର ଏଇ ହଦାଦି ବିଜୟୀ ଗୋଲ କରିଥିଲେ ।
ଶୀର୍ଷ ସ୍ଥାନରେ ରିୟଲ ମାଦ୍ରିଦର ପରବର୍ତ୍ତୀ ମୁକାବିଲା ଆଲଭାସ କ୍ଳବ ସହ ରହିଛି । ଏହି ମ୍ୟାଚରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି କ୍ଳବ । କାରଣ 2ୟ ସ୍ଥାନରେ ଥିବା ଶକ୍ତିଶାଳୀ ବାର୍ସେଲୋନା ମାତ୍ର ଗୋଟିଏ ପଏଣ୍ଟ ପଛରେ ରହିଛି । ଏପରି ସ୍ଥିତିରେ ମାଦ୍ରିଦର ପରାଜୟ ଲା ଲିଗା ଟାଇଟେଲ ବିଜୟ ଆଶାକୁ ଧୁଳିଶାତ କରିବାର ସମ୍ଭାବନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ