ମାଦ୍ରିଦ: ନିଜ ଇତିହାସରେ ଆଉ ଏକ ଖରାପ ପ୍ରଦର୍ଶନ ଯୋଗୁଁ ଚମ୍ପିଆନ୍ସ ଲିଗରୁ ବାଦ ପଡିଛି ସ୍ପେନର ପ୍ରଖ୍ୟାତ ଫୁଟବଲ କ୍ଲବ ରିଅଲ ମାଦ୍ରିଦ । 9 ବର୍ଷ ପରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି ମାଦ୍ରିଦ । ତେବେ ପରାଜୟ ପରେ କ୍ଲବର ମୁଖ୍ୟ କୋଚ ଏବଂ କ୍ୟାପ୍ଟେନଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ଏପରିକି କ୍ୟାପ୍ଟେନ ପଦରୁ ବହିଷ୍କାର କରିବାକୁ କୋଚ ଧମକ ଦେଇଥିବା ଅଭିଯୋଗ ଆସିଛି ।
ସୂଚନାଯୋଗ୍ୟ ଯେ 2010 ପରେ ପ୍ରଥମ ଥର ପାଇଁ କ୍ବାର୍ଟର ଫାଇନାଲ ଖେଳିବ ନାହିଁ ରିଅଲ ମାଦ୍ରିଦ । ଅଜାକ୍ସ ଟିମ ମୋଟ 5-3 ଗୋଲରେ ରିଅଲକୁ ହରାଇବା ପରେ ଏବର୍ଷ ଚମ୍ପିଆନ୍ସ ଲିଗରୁ ଦଳ ବାଦ ପଡିଛି । ଏହାସହ ଲଗାତାର 3 ବର୍ଷ ଧରି ଏହି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରାଧାନ୍ୟ ଜାରି ରଖିଥିବା ମାଦ୍ରିଦ ପ୍ରଥମ ରାଉଣ୍ଡରୁ ହିଁ ବାହାରି ଯାଇଛି । ତେବେ ଏକ ରିପୋର୍ଟ ଅନୁସାରେ ମ୍ୟାଚ ହାରିବା ପରେ ସ୍ପାନିଶ ଡିଫେଣ୍ଡର ତଥା କ୍ଲବର କ୍ୟାପ୍ଟେନ ସର୍ଜିଓ ରମୋସଙ୍କୁ ଡ୍ରେସିଂ ରୁମରେ କ୍ଲବ ସଭାପତି ଫ୍ଲୋରେଣ୍ଟିନୋ ପେରେଜ ଧମକ ଦେଇଛନ୍ତି ।
ସୂଚନାନୁସାରେ ପରାଜୟ ପରେ ଏହାକୁ ଗ୍ରହଣ କରିପାରିନାହାନ୍ତି ପେରେଜ । ଡ୍ରେସିଂ ରୁମରେ ସମସ୍ତ ଖେଳାଳିଙ୍କୁ ଗାଳି କରି ସେ ଏହା ସବୁଠାରୁ ଲଜ୍ଜାଜନକ ଥିଲା ବୋଲି କହିଛନ୍ତି । ଏହାସହ ରମୋସଙ୍କୁ ଧମକ ଦେଇ କ୍ୟାପ୍ଟେନ ପଦରୁ ବାହାର କରିଦେବେ ବୋଲି କହିଛନ୍ତି । ରମୋସ ସସପେଣ୍ଡ ହୋଇଥିବା ଯୋଗୁଁ ଏହି ମ୍ୟାଚ ଖେଳିନଥିଲେ । ଏଥିପାଇଁ ତାଙ୍କ ଉପରେ କୋଚ ବିରକ୍ତ ହୋଇ ଅଧିନାୟକ ପଦରୁ ବିଦା କରିବେ ବୋଲି ସମସ୍ତ ଖେଳାଳିଙ୍କ ସାମନାରେ ଧମକ ଦେଇଥିଲେ ।
ତେବେ 2005ରୁ ଏହି କ୍ଲବ ପାଇଁ ଖେଳି ଆସୁଥିବା ରମୋସ ଏହି ଧମକର ପ୍ରତ୍ୟାତ୍ତୋର ଦେଇ କହିଥିଲେ ଯେ ତାଙ୍କୁ କଣ୍ଟ୍ରାକ୍ଟର ପୁରା ଅର୍ଥ ଦେଇଦେଲେ ସେ ଖୁସିରେ କ୍ଲବ ଛାଡିଦେବେ । କ୍ଲବ ପାଇଁ ସେ ନିଜର ସବୁକିଛି ଦେଇଛନ୍ତି । ଅନେକ ଥର ନିଜ ଶରୀରକୁ ଆହତ କରିଛନ୍ତି । ହେଲେ କେବେ ମଧ୍ୟ କ୍ଲବକୁ ନିରାଶ କରିନାହାନ୍ତି ବୋଲି ରମୋସ ଭାବପ୍ରବଣତା ହୋଇ କହିଛନ୍ତି ।
ତେବେ ଏହି ଘଟଣା ଉପରେ କ୍ଲବ ପକ୍ଷରୁ କୌଣସି ମତାମତ ମିଳିନାହିଁ । ଏପରିକି ରମୋସଙ୍କର ପ୍ରତିନିଧି ମଧ୍ୟ ଏହା ଉପରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।