କଟକ: କ୍ରୀଡା ଆୟୋଜନରେ ଓଡିଶା ହୋଇଛି ବିଶ୍ବ ବିଖ୍ୟାତ । ହକି ବିଶ୍ବକପ ଆୟୋଜନ ପରେ ବିଶ୍ବ ଦରବାରରେ ଓଡିଶା ଶିଖର ଛୁଇଁଛି । ଏହାସହ ନିଜର ପ୍ରତିଭାବାନ ଖେଳାଳିଙ୍କୁ ନେଇ ଗର୍ବ କରେ ଓଡିଶା ମାଟି । ତେବେ କେବଳ ହକି ନୁହେଁ ବରଂ ବିଭିନ୍ନ କ୍ରୀଡାରେ ପାରଦର୍ଶିତା ଲାଭ କଲାଣି ।
ତେବେ ଫୁଟବଲ ବିଶ୍ବ କ୍ରୀଡା ଜଗତରେ ଏକ ଲୋକପ୍ରିୟ ଖେଳ । ଯାହାର ଉନ୍ନତି ପାଇଁ ସରକାର ସର୍ବଦା ଚେଷ୍ଟିତ । ଏହି ଖେଳର ବିକାଶ ପାଇଁ ଜିଲା ସ୍ତରରେ ରହିଛି କ୍ରୀଡା ଛାତ୍ରାବାସ । ଯେଉଁଠି ଫୁଟବଲ ପ୍ରତି ଦୁର୍ବଳତା ଥିବା ପିଲା ରହିବେ, ଖାଇବେ ଓ ପ୍ରଶିକ୍ଷଣ ନେବେ । ମାତ୍ର ଛାତ୍ରାବାସରେ ଯଦି ପ୍ରଶିକ୍ଷକଙ୍କ ଅଭାବ ରୁହେ, ତେବେ ବିକାଶ କିପରି ସମ୍ଭବ ?
ବର୍ଷ 1984ରେ କଟକରେ ନିର୍ମାଣ ହୋଇଥିଲା କ୍ରୀଡା ଛାତ୍ରାବାସ । ଯାହା ବର୍ତ୍ତମାନ କେବଳ ଫୁଟବଲ କ୍ରୀଡା ପାଇଁ ଉଦ୍ଦିଷ୍ଟ । ପ୍ରଥମେ ବିଭିନ୍ନ ବୟସ ବର୍ଗର ଫୁଟବଲ ଖେଳାଳି ଏହି ଛାତ୍ରାବାସରେ ରହି ପ୍ରଶିକ୍ଷଣ ପାଇ ଅନେକ ଜାତୀୟ ସ୍ତରୀୟ ମ୍ୟାଚ ଖେଳି ରାଜ୍ୟକୁ କରିଛନ୍ତି ଗୌରବାନ୍ବିତ । ଏବେ ବି ଅନେକ ଖେଳାଳି ସମ୍ମାନଜନକ ସନ୍ତୋଷ ଟ୍ରଫି ଖେଳିବାର ସୁଯୋଗ ମଧ୍ୟ ପାଉଛନ୍ତି ।
ମାତ୍ର ଏହି ପୁରାତନ କ୍ରୀଡ଼ାଛାତ୍ରାବାସ ନିଜର ଅସ୍ତିତ୍ବକୁ ନେଇ ଚିନ୍ତାରେ । ନାହାନ୍ତି ପର୍ଯ୍ୟାପ୍ତ ପରିମାଣର କୋଚିଂ ଷ୍ଟାଫ । ଫଳରେ ଯେଉଁ ମହତ ଉଦ୍ଦେଶ୍ୟ ନେଇ ଏହି କ୍ରୀଡାଛାତ୍ରାବାସର ପରକଳ୍ପନା କରାଯାଇଥିବା ତାହା ଧୂଳିସାତ ହେବାକୁ ଯାଉଛି ।
ବର୍ତ୍ତମାନ ଏଠାରେ 50 ଜଣ ସିନିୟର ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି । ମାତ୍ର ଜଣେ କୋଚ୍ରେ କମ ଚଳୁଛି । ସେଥିପାଇଁ ସମୟ ପୂର୍ବରୁ ଏନେଇ ଦୃଷ୍ଟି ଦିଆ ନଗଲେ, ଏଠାରେ ପ୍ରଶିକ୍ଷଣ ନେଇ ଫୁଟବଲକୁ କ୍ୟାରିୟର କରିବା ଲକ୍ଷ୍ୟରେ ଥିବା ଶହ ଶହ ଖେଳାଳିଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲିହୋଇଯିବାର ସମ୍ଭବାନା ରହିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ