ମାଞ୍ଚେଷ୍ଟର: ମାଞ୍ଚେଷ୍ଟର ସିଟିର ଫୁଟବଲର ରହୀମ ଷ୍ଟର୍ଲିଂ ‘ବ୍ଲାକ୍ ଲାଇଭସ୍ ମ୍ୟାଟର' ଅଭିଯାନର ସମର୍ଥନରେ ପ୍ରିମିୟର ଲିଗ୍ ପ୍ରତ୍ୟାବର୍ତ୍ତନ ରାତିରେ ଖେଳାଳିମାନେ ଆଣ୍ଠେଇ ଥିବାକୁ ଏକ ବୃହତ ପଦକ୍ଷେପ ବୋଲି କହିଛନ୍ତି ।
ମେ 25ରେ ଜଣେ ମିନିନାପଲିସ୍ ପୋଲିସ୍ ଅଧିକାରୀ ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ବେକରେ ଆଣ୍ଠୁମାଡି ବସିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ସାରା ବିଶ୍ବରେ ଜାତିଭେଦ ଏବଂ ପୋଲିସର ଅତ୍ୟାଚାର ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିଛି।
ବୁଧବାର ସନ୍ଧ୍ୟାରେ ଶେଫିଲ୍ଡ ୟୁନାଇଟେଡ୍ ବିପକ୍ଷରେ ଆଷ୍ଟନ୍ ଭିଲ୍ଲାର ମ୍ୟାଚ୍ ପୂର୍ବରୁ, ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ କୋଭିଡ-19 ବ୍ୟବଧାନ ପରେ ପ୍ରିମିୟର ଲିଗ୍ ପୁନଃ ଆରମ୍ଭ ହେବାପରେ ଫ୍ଲଏଡଙ୍କ ମୃତ୍ୟୁକୁ ବିରୋଧ କରି ଆଣ୍ଠେଇ ଥିଲେ। ମଞ୍ଚେଷ୍ଟର ସିଟି ଏବଂ ଆର୍ସେନାଲ ଖେଳାଳିମାନେ ମଧ୍ୟ ସେମାନଙ୍କ ଫିକ୍ସଚର ପୂର୍ବରୁ ସମାନ କାର୍ଯ୍ୟ କରିଥିଲେ।
ଷ୍ଟର୍ଲିଂ ସ୍କାଏ ସ୍ପୋର୍ଟସକୁ କହିଛନ୍ତି ଯେ ଏହା ଦର୍ଶାଉଛି ଯେ ଆମେ ସଠିକ୍ ଦିଗରେ ଯାଉଛୁ।
‘‘ଧୀରେ ଧୀରେ ଆମେ ପରିବର୍ତ୍ତନ ଦେଖୁଛୁ। ଏହା ସ୍ବାଭାବିକ ଥିଲା। ଦଳଗୁଡିକୁ ପୂର୍ବରୁ କିକ୍ ଅଫ୍ରେ ଏହା କରିଥିବାର ଦେଖିଥିଲୁ ଏବଂ ଭାବିଥିଲୁ ଏହା ଆମକୁ ମଧ୍ୟ କରିବାକୁ ହେବ।’’
ମଞ୍ଚେଷ୍ଟର ସିଟି ମ୍ୟାନେଜର ପେପ ଗୁଆର୍ଡିଓଲା କହିଛନ୍ତି, ‘‘400 ବର୍ଷ ଧରି କୃଷ୍ଣକାୟଙ୍କ ପ୍ରତି ଆମର ବ୍ୟବହାର ଯୋଗୁଁ ଶ୍ବେତକାୟଙ୍କୁ କ୍ଷମା ମାଗିବା ଆବଶ୍ୟକ । ବିଶ୍ବର କୃଷ୍ଣଙ୍କ ପ୍ରତି ଆମେ ଯାହା କରିଛୁ ସେଥିପାଇଁ ମୁଁ ଲଜ୍ଜିତ।
‘‘ଏହା କେବଳ ଆମେରିକାରେ ନୁହେଁ, ସବୁ ସ୍ଥାନରେ ଏହି ସମସ୍ୟା ରହିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ,‘‘ବୋଧହୁଏ ଆମ ପିଢ଼ି ପାଇଁ ଏହା ବହୁତ ଡେରି ହୋଇଛି କିନ୍ତୁ ପରବର୍ତ୍ତୀ ପିଢ଼ି ଏହାକୁ ବୁଝିପାରିବେ ଯେ ଆମେ ସମସ୍ତ ମଣିଷ । ଦେହର ରଙ୍ଗ କୌଣସି ପ୍ରଭାବ ପକାଏନି ।’’
@IANS