କୋଲକାତା: କିମ୍ବଦନ୍ତୀ ଭାରତୀୟ ପୂର୍ବତନ ଫୁଟବଲ ଖେଳାଳି ଚୁନି ଗୋସ୍ବାମୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ବୟସ ହୋଇଥିଲା । ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ଗୁରୁବାର ସଂଧ୍ୟା 5ଟା ବେଳେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ପରିବାର ସୂତ୍ରରୁ ପ୍ରକାଶ ।
1962 ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ବିଜେତା ଦଳର ଅଧିନାୟକତ୍ୱ କରିଥିଲେ ସେ । ସେ ଫୁଟବଲ ଖେଳାଳି ହୋଇଥିବା ସତ୍ତ୍ବେ ଜଣେ ଭଲ କ୍ରିକେଟର ମଧ୍ୟ ଥିଲେ। ଗୋସ୍ୱାମୀ 46ଟି ଫାଷ୍ଟ କ୍ଲାସ ମ୍ୟାଚରେ ବେଙ୍ଗଲର ପ୍ରତିନିଧିତ୍ୱ କରିଥିଲେ । ସେ ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । 1956 ରୁ 1964 ପର୍ଯ୍ୟନ୍ତ ଭାରତ ପାଇଁ ଖେଳିଥିବା ଗୋସ୍ୱାମୀ ଡାଇବେଟିସ ଏବଂ ସ୍ନାୟୁ ଜନିତ ରୋଗରେ ପୀଡିତ ଥିଲେ ।
1954 ମସିହାରେ କୋଲକାତା ଦଳ ପାଇଁ ଖେଳିବା ଆରମ୍ଭ କରିଥିଲେ । 1968 ପର୍ଯ୍ୟନ୍ତ ସେ ଖେଳିଥିଲେ । ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ୍ ସଭାପତି ପ୍ରଫୁଲ୍ଲ ପଟେଲ ଟୁଇଟ୍ କରି କହିଛନ୍ତି, "ଜଣେ କିମ୍ବଦନ୍ତୀ ଭାରତୀୟ ଫୁଟବଲ ଖେଳାଳି ଏବଂ ଜଣେ ଭଲ କ୍ରିକେଟର ଆଜି ଆମକୁ ଛାଡ଼ି ଚାଲିଯାଇଛନ୍ତି । ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ହୃଦୟରୁ ସମବେଦନା ଜାଣାଉଛି ।