ନୂଆଦିଲ୍ଲୀ: "ଭାରତୀୟ ବୋଲରଙ୍କ ମଧ୍ୟରେ ବିଭିନ୍ନତା ରହିଛି । ଏହି ବୋଲିଂ ଆକ୍ରମଣକୁ ବୁଝିବା ଯେକୌଣସି ବ୍ୟାଟ୍ସମ୍ୟାନମାନଙ୍କ ପାଇଁ ସହଜ ହେବନାହିଁ ।" ଏହା କହିଛନ୍ତି ଇଂଲଣ୍ଡର ଧୂଆଁଧାର ବ୍ୟାଟସ୍ମ୍ୟାନ ଡାବିଡ ମଲାନ । ତାଙ୍କ ମତରେ ଭାରତୀୟ ଦଳର ବୋଲର ପ୍ରତ୍ୟେକ ପ୍ରତ୍ୟେକଙ୍କଠାରୁ ଅଲଗା । ସଦ୍ୟ ସମାପ୍ତ ହୋଇଥିବା ଟେଷ୍ଟ ସିରିଜ ପରେ ଏହା କହିଛନ୍ତି ଡାବିଡ ମଲାନ ।
ତିନ ବର୍ଷରେ ଟେଷ୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଡାବିଡ ମଲାନ । ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବା ନେଇ ସେ କହିଛନ୍ତି ଯେ, "ଭାରତର ଜଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ ପ୍ରତ୍ୟେକ ବୋଲର ପ୍ରତ୍ୟେକ ପ୍ରତ୍ୟେକଙ୍କଠାରୁ ଭିନ୍ନ । ମ୍ୟାଚ୍ ବେଳେ ତାଙ୍କୁ ବୁଝିବା ମୁସ୍କିଲ ହୋଇ ପଡ଼ିଥିଲା ।"
ଭାରତୀୟ ବୋଲରଙ୍କ ରିଲିଜ୍ ପଏଣ୍ଟ ଭିନ୍ନ । ବଲ୍କୁ ନେଇ ସଭିଁଏ ଅଲଗାଅଲଗା କରାମତି ଜାଣିଛନ୍ତି । ଯାହାଫଳରେ ବ୍ୟାଟସମ୍ୟାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ବୋଲି କହିଛନ୍ତି ଡାବିଡ ମଲାନ । ଯେତେବେଳ ବୋଲରଙ୍କୁ ବୁଝି ହେଉଛି ବୋଲି ମନେ ହୁଏ, ସେତେବେଳେ କିଛି ନୂଆ କରି ଦେଖାନ୍ତି ଭାରତୀୟ ବୋଲର ।
ପଞ୍ଚମ ମ୍ୟାଚ ବାତିଲ ହେବା ପୂର୍ବରୁ ଭାରତୀୟ ଦଳ ସିରିଜରେ ୨-୧ରେ ଆଗୁଆ ରହିଥିଲା । ତେବେ ଭାରତୀୟ କ୍ୟାମ୍ପରେ କୋଭିଡ ସଂକ୍ରମଣ ଯୋଗୁଁ ଏହି ମ୍ୟାଚକୁ ବାତିଲ କରିବାକୁ ପଡ଼ିଥିଲା । ସିରିଜରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ