ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ମଙ୍ଗଳବାର ପୂର୍ବତନ ଭାରତୀୟ କ୍ରିକେଟର ଯଶପାଲ ଶର୍ମାଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳୀ ଜଣାଇଛି । ମଙ୍ଗଳବାର ସକାଳେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ସେ ଅମ୍ପାୟର ଓ ଜାତୀୟ ଚୟନକର୍ତ୍ତା ମଧ୍ୟ ରହିଛନ୍ତି ।
ଯଶପାଲ ଶର୍ମାଙ୍କ ଦେହାନ୍ତରେ BCCI ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟଚ ଶାହା ଶୋକ ବ୍ୟକ୍ତ କରିବା ସହ କହିଛନ୍ତି, "1983 ବିଶ୍ବକପ ବିଜୟ ଯାତ୍ରାରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ପାଇଁ ଯଶପାଲ ଶର୍ମା ସବୁଦିନ ପାଇଁ ମନେ ରହିବେ । ଗଭୀର ଭାବେ ଦୁଃଖିତ, ଜଣେ କ୍ରିକେଟ ହିରୋଙ୍କୁ ହରାଇଲୁ, ଜଣେ ମୂଲ୍ୟବାନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଥିଲେ ଦକ୍ଷ ଫିଲ୍ଡର ଥିଲେ । ପଡିଆ ବାହାରେ ଜଣେ ଭଲ ମଣିଷ ଥିଲେ । ଭାରତୀୟ କ୍ରିକେଟ ପାଇଁ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।"
ଶର୍ମା ଦେଶ ପାଇଁ 37ଟି ଟେଷ୍ଟ ଓ 42ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ଓ ଅନ୍ତର୍ଜାତୀୟ କ୍ରିକେଟରେ 2,489 ରନ୍ ସଂଗ୍ରହ କରିଛନ୍ତି । ଦୁଇଟି ଶତକ ଓ 13ଟି ଅର୍ଦ୍ଧଶତକୀୟ ଇଂନିସ ମଧ୍ୟ ଖେଳିଛନ୍ତି ।
1983 ବିଶ୍ବକପ ବିଜୟୀ ଟିମର ପ୍ରମୁଖ ସଦସ୍ୟ ଥିଲେ । ଜଣେ ବିଚକ୍ଷଣ ଫିଲ୍ଡର ଥିଲେ ଓ ଡାହାଣହାତୀ ବ୍ୟାଟ୍ସମ୍ୟାନ ଥିଲେ । ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଦୁଇଟି ଅର୍ଦ୍ଧଶତକୀୟ ଇଂନିସ ସହ 240 ରନ କରିଥିଲେ । ଫଳରେ ଟୁର୍ଣ୍ଣାମେଣ୍ଟରେ ଭାରତର ଦ୍ବିତୀୟ ସର୍ବାଧିକ ରନସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ଥିଲେ । ଟିମ ଇଣ୍ଡିଆର ଓପନିଂ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଲଢୁଆ 89 ଓ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ବିଜୟୀ 62 ରନର ଦମଦାର ଇଂନିସ ଖେଳିଥିଲେ ।
160ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରୁ 8,933 ରନ ଓ ଲିଷ୍ଟ ଏ କ୍ରିକେଟରେ 1,859 ରନ୍ ମଧ୍ୟ ତାଙ୍କ ନାମରେ ରହିଛି । 2004-2005 ଓ 2008-2011ରେ ଜାତୀୟ ଚୟନକର୍ତ୍ତା ମଧ୍ୟ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ