ସାଉଥହମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ଜାରି ରହିଛି । ଏହି ମ୍ୟାଚରେ ରସ ଟେଲର ଓ କେନ ୱିଲିୟମସନ ଯୋଡ଼ିକୁ ଯଥାଶୀଘ୍ର ଭାଙ୍ଗିବାକୁ ଚାହିଁବ ଭାରତ । କାରଣ ଟେଷ୍ଟ ଇତିହାସରେ ଏହି ଦୁଇ ବ୍ୟାଟସମ୍ୟାନ ଏକ ସଫଳତମ ବ୍ୟାଟିଂ ଯୋଡ଼ି ଭାବରେ ପରିଗଣିତ ।
ବର୍ତ୍ତମାନ ସୁଦ୍ଧା ଉଭୟ 74 ଇନିଂସ ଭାଗିଦାରୀ କରି ସାରିଛନ୍ତି । ଗତ ଦଶ ବର୍ଷ ମଧ୍ୟରେ ଉଭୟ 58.79 ହାରରେ 3 ହଜାର 763 ରନ ଭାଗିଦାରୀ କରିଛନ୍ତି । ସେଥି ମଧ୍ୟରେ 10ଟି ଶତକୀୟ ଇନିଂସ ରହିଥିବା ବେଳେ 18ଟି ଅର୍ଦ୍ଧ ଶତକୀୟ ଭାଗୀଦାରୀ ରହିଛି । ଦୁହିଁଙ୍କ ମଧ୍ୟରେ ସର୍ବାଧିକ 265 ରନ ଭାଗିଦାରୀ ହୋଇଛି ।
ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଏହି ଯୋଡ଼ି ଭାରତ ପାଇଁ ଘାତକ ହୋଇ ପାରନ୍ତି । ବର୍ତ୍ତମାନ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଭଳ ସ୍ଥିତିରେ ରହିଛି । ଭାରତର ପ୍ରଥମ ଇନିଂସର 217 ରନ ଜବାବରେ ନ୍ୟୁଜିଲାଣ୍ଡ ଦୁଇ ୱିକେଟ ହରାଇ 110 ରନ କରିଛି । ବର୍ତ୍ତମାନ ପଡ଼ିଆରେ ରସ ଟେଲର ଓ କେନ ୱିଲିୟମସନ ରହିଛନ୍ତି ।
ତେବେ ଲଗାଣ ବର୍ଷା ଯୋଗୁଁ ପଞ୍ଚମ ଦିନ ଖେଳ ମଧ୍ୟ ଆରମ୍ଭ ହେବାରେ ବିଳମ୍ବ ହୋଇଛି । ବର୍ଷା ଯୋଗୁଁ ଏହି ମ୍ୟାଚର ପ୍ରଥମ ଓ ଚତୁର୍ଥ ଦିନ ଖେଳ ସମ୍ପୂର୍ଣ୍ଣ ବାତିଲ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ