କୋଲକାତା: ଆଜି ବିଶ୍ବକପରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ପାକିସ୍ତାନ । ଦିନିକିଆ ବିଶ୍ବକପ କ୍ୟାରିଅରର ଆଜି ଶେଷ ମ୍ୟାଚ ଖେଳିବେ ଇଂଲଣ୍ଡ କ୍ରିକେଟର ଡେଭିଡ୍ ମଲାନ । ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡେଭିଡ୍ । ଅଲରାଉଣ୍ଡର ବେନ ଷ୍ଟୋକ୍ସ, ଜୋଏ ରୁଟ, କ୍ରିସ ୱେକସ, ମୋଇନ ଅଲି, ଆଦିଲ ରସିଦ ଏବଂ ଜନି ବେୟାରଷ୍ଟୋ ମଧ୍ୟ ବିଶ୍ବକପରେ ଶେଷ ମ୍ୟାଚ ଖେଳିବେ । ଏହାପରେ ଆଗକୁ ହେବାକୁ ଥିବା ବିଶ୍ବକପରେ ଏହି ସାତ ଜଣ ଖେଳାଳିଙ୍କୁ ଦେଖିବାକୁ ପାଇବେ ନାହିଁ ପ୍ରଶଂସକ । ଅନ୍ୟପଟେ ଆଜି ବିଶ୍ବକପରେ ଶେଷ ଲିଗ ମ୍ୟାଚ ଖେଳିବ ଇଂଲଣ୍ଡ । ତେଣୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଲିଗ ମ୍ୟାଚରେ ଭଲ ପ୍ରଦର୍ଶନ କରିନପାରି ସେମିଫାଇନାଲ ରେସରୁ ବାଦ ପଡିଛି ଇଂଲଣ୍ଡ । କିନ୍ତୁ ଆଜି ମ୍ୟାଚରେ ବିଜୟୀ ହୋଇ ଦଳ ବିଶ୍ବକପରେ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି ।
ପାକ୍ ବିପକ୍ଷ ମ୍ୟାଚ ପୂର୍ବରୁ ଇଂଲଣ୍ଡ କ୍ରିକେଟର ଡେଭିଡ୍ ମଲାନ କହିଛନ୍ତି ଯେ, ଆମେ ସେମିଫାଇନାଲରେ ପ୍ରବେଶ କରିବାକୁ ଆଶା ରଖିଥିଲୁ । ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ କରିଥିଲୁ । କିନ୍ତୁ ଲିଗ ମ୍ୟାଚରେ ପ୍ରଦର୍ଶନ ଭଲ ରହିନଥିବାରୁ ଆମେ ସେମିରୁ ବାଦ ପଡିଛୁ ଏବଂ ପ୍ରଶଂସକଙ୍କୁ ମଧ୍ୟ ନିରାଶ କରିଛୁ । ଚମ୍ପିଆନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଆମକୁ ଆଜିର ମ୍ୟାଚ ବିଜୟୀ ହେବାକୁ ପଡିବ । କିନ୍ତୁ ମୋତେ ଜଣାନାହିଁ ଆମେ ଯୋଗ୍ୟତା ଅର୍ଜନ କରିବୁ କି ନାହିଁ । ଆମକୁ ଏଥିପାଇଁ ପୁରା ଚେଷ୍ଟା କରିବାକୁ ପଡିବ । ଏହି ମ୍ୟାଚ ବିଶ୍ବକପରେ ମୋ ପାଇଁ ଶେଷ ମ୍ୟାଚ ।
ଆଇସିସି ପୁରୁଷ ବିଶ୍ବକପ 2023ରେ ଇଂଲଣ୍ଡର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 8ଟି ମ୍ୟାଚ ଖେଳି ଦଳ ମାତ୍ର 2ଟିରେ ବିଜୟୀ ହୋଇଛି । ଯାହାଫଳରେ ସେମିରେ ପହଞ୍ଚିବାରେ ବିଫଳ ହୋଇଛି ଇଂଲଣ୍ଡ । ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ଇଂଲଣ୍ଡ । ଖରାପ ପ୍ରଦର୍ଶନ ପ୍ରଶଂସକଙ୍କୁ ମଧ୍ୟ ନିରାଶ କରିଛି । ଦଳର ଅଲରାଉଣ୍ଡର ବେନ ଷ୍ଟୋକ୍ସ, ଜୋଏ ରୁଟ, ଡେଭିଡ ମଲାନ, କ୍ରିସ ୱେକସ, ମୋଇନ ଅଲି, ଆଦିଲ ରସିଦ ଏବଂ ଜନି ବେୟାରଷ୍ଟୋ ଆଜି ଶେଷ ଦିନିକିଆ ବିଶ୍ୱକପ ମ୍ୟାଚ ଖେଳିବେ ।
ନଭେମ୍ବର 7 ତାରିଖରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ନେଦରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ ଖେଳି ବିଜୟୀ ହୋଇଥିଲା । ଡାୱିଡ୍ ମଲାନଙ୍କ 87 ରନର ଦମଦାର ପାଳି ପରେ ବେନ୍ ଷ୍ଟୋକ୍ସଙ୍କ ଶତକୀୟ ପାଳି ଓ କ୍ରିସ୍ ୱକ୍ସ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେମିଫାଇନାଲ ପରେ ଆଗାମୀ ଚମ୍ପିଆନ୍ସ ଟ୍ରଫି ଯୋଗ୍ୟତା ଦୌଡ଼ରୁ ମଧ୍ୟ ବାଦ ପଡ଼ିଛି ଇଂଲଣ୍ଡ ।