ହାଇଦ୍ରାବାଦ: ବିଶ୍ବକପ୍ ୨୦୨୩ରେ ସଙ୍ଘର୍ଷ କରୁଛି ବିଶ୍ବକପ୍ ୨୦୧୯ ଚମ୍ପିଆନ୍ ଇଂଲଣ୍ଡ । ୨୦୧୯ ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ରେ ସୁପର ଓଭର ଡ୍ର ହେବା ପରେ ବାଉଣ୍ଡରି ସଂଖ୍ୟାରେ ଆଗରେ ଥିବାରୁ ଚମ୍ପିଆନ୍ ହୋଇଥିଲା ଇଂଲଣ୍ଡ । ଚଳିତ ବର୍ଷ ବିଶ୍ବକପ୍ରେ ମଧ୍ୟ ଇଂଲଣ୍ଡ ପାଇଁ ପ୍ରାୟ ସେହି ଚମ୍ପିଆନ୍ ଦଳ ଖେଳୁଛନ୍ତି । ହେଲେ ପ୍ରତି ମ୍ୟାଚ୍ରେ ଦଳ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳୁଛି । ଚଳିତ ବିଶ୍ବକପ୍ରେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି କେବଳ ଗୋଟିଏ ମ୍ୟାଚ୍ ଜିତିବାରେ ସଫଳ ହୋଇଛି ବଟଲର ବାହିନୀ । ବାଂଲାଦେଶ ବିପକ୍ଷ ମ୍ୟାଚ୍ ଜିତି କେବଳ ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ୧୦ମ ସ୍ଥାନରେ ପଡ଼ିଛି ଦଳ । ଏପରିକି ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଡିଫେଣ୍ଡିଂ ଚମ୍ପିଆନ୍ ଠାରୁ ଉପରେ ରହିଛନ୍ତି ।
- " class="align-text-top noRightClick twitterSection" data="">
ବିଶ୍ବକପ୍ ପୂର୍ବରୁ ଇଂଲଣ୍ଡ ଦଳ ବେଶ ଦମଦାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଥିଲା । ଏହି କାରଣରୁ ଏଥର ବିଶ୍ବକପ୍ ଟ୍ରଫି ଉଠାଇବା ପାଇଁ ପ୍ରମୁଖ ଦଳଗୁଡ଼ିକ ଭିତରେ ରହିଥିଲା ଇଂଲଣ୍ଡ । ହେଲେ ୩ଟି ପରାଜୟ ପରେ ବଟଲର ବାହିନୀ ପାଇଁ ସେମିଫାଇନାଲ ରାସ୍ତା ବେଶ କଠିନ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୨୯ ରନରେ ଶୋଚନୀୟ ପରାଜୟର ସାମ୍ନା କରିବା ପରେ ଅଧିନାୟକ ଜୋସ ବଟଲର କହିଥିଲେ, "ବାକିଥିବା ୫ଟି ମ୍ୟାଚ୍ ଜିତିବାକୁ ଆମ ଉପରେ ଏବେ ଚାପ ସୃଷ୍ଟି ହୋଇଛି ।" ହେଲେ କେବଳ ୫ଟି ଯାକ ମ୍ୟାଚ୍ ଜିତିଗଲେ ମଧ୍ୟ ସେମିଫାଇନାଲ୍ରେ ପ୍ରବେଶ କରିବା ଦଳ ପାଇଁ ସହଜ ହେବନି । ଦଳକୁ ଏକ ସୁଦୃଢ଼ ନେଟ୍ ରନ୍ ରେଟ୍ର ମଧ୍ୟ ଆବଶ୍ୟକତା ରହିଛି ।
ଇଂଲଣ୍ଡ ବିଫଳତାର କାରଣ:-
ଦିନିକିଆରେ ବ୍ୟାଟରଙ୍କ ସଙ୍ଘର୍ଷ: ଟେଷ୍ଟ୍ କ୍ରିକେଟ୍ରେ ଇଂଲଣ୍ଡ କ୍ରିକେଟର 'ବାଜ୍ବଲ୍' ରଣନୀତି ଆପଣାଇଲେ ଓ ଶୀଘ୍ର ରନ ସ୍କୋର କରିବା ଅଭ୍ୟାସ କଲେ । ଟେଷ୍ଟ ମ୍ୟାଚ୍ରେ ଦଳର ଯେଉଁ ବ୍ୟାଟରମାନେ ବଡ଼ ବଡ଼ ଛକା ମାରିଲେ, ଦିନିକିଆ ଫର୍ମାଟ୍ରେ ସେହି ବ୍ୟାଟରମାନେ ସ୍କୋର କରିବା ପାଇଁ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳୁଛି ।
ଓପନରଙ୍କ ବିଫଳତା: ଜନି ବେୟାର୍ଷ୍ଟୋ ଓ ଡାୱିଡ୍ ମଲାନ ବାଂଲାଦେଶ ବିପକ୍ଷରେ ୧୧୫ ରନର ଓପନିଂ ଭାଗିଦାରି କରିଥିଲେ । ହେଲେ ଅନ୍ୟ ୩ ମ୍ୟାଚ୍ରେ ଉଭୟ ୫୦ ରନର ଭାଗିଦାରି କରିବାରେ ମଧ୍ୟ ଅସମର୍ଥ ହୋଇଥିଲେ । ସେହିପରି ଦଳର ଷ୍ଟାର ଓପନର ଜନି ବେୟାର୍ଷ୍ଟୋ ୪ ମ୍ୟାଚ୍ ଖେଳି ଗୋଟିଏ ଅର୍ଦ୍ଧଶତକ ସତ୍ତ୍ବେ ସମୁଦାୟ ୯୭ ରନ କରିବାରେ ସକ୍ଷମ ହୋଇଛନ୍ତି । ଏହା ଇଂଲଣ୍ଡ ବିଫଳତାର ପ୍ରମୁଖ କାରଣ ବୋଲି ବିଚାର କରାଯାଇପାରେ ।
ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଫଗାନିସ୍ତାନ ବିପକ୍ଷ ବିପର୍ଯ୍ୟୟ ଭୁଲି ଆଗକୁ ବଢ଼ିଛୁ କହିଲେ ବଟଲର
ବେନ୍ ଷ୍ଟୋକ୍ସଙ୍କ ଅନୁପସ୍ଥିତି ଓ ବିଫଳତା: ଇଂଲଣ୍ଡକୁ ୨୦୧୯ ବିଶ୍ବକପ୍ ଜିତାଇଥିବା ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦିନିକିଆରୁ ଅବସର ନେଇଥିଲେ । ହେଲେ ବିଶ୍ବକପ୍ ୨୦୨୩ ପୂର୍ବରୁ ତାଙ୍କୁ ଦଳକୁ ପୁଣିଥରେ ଫେରାଇ ଅଣାଯାଇଥିଲା । ତେବେ ଆହତ କାରଣରୁ ସେ ପ୍ରଥମ ୩ ମ୍ୟାଚ୍ରେ ଦଳର ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିଲେ । ଶେଷରେ ଯଦିଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଦଳକୁ ଫେରିଥିଲେ, ହେଲେ ସେହି ମ୍ୟାଚ୍ରେ ସେ କେବଳ ୫ ରନ କରିବାରେ ସକ୍ଷମ ହୋଇଥିଲେ । ତେବେ ବାକି ଥିବା ମ୍ୟାଚ୍ ଗୁଡ଼ିକରେ ଷ୍ଟୋକ୍ସଙ୍କ ପ୍ରଦର୍ଶନ ଉପରେ ଦଳର ପ୍ରଦର୍ଶନ ନିର୍ଭର କରିବ ।
ବ୍ୟୟ ବହୁଳ ବୋଲିଂ ବିଭାଗ: ଇଂଲଣ୍ଡ ଏପର୍ଯ୍ୟନ୍ତ ଖେଳିଥିବା ୪ଟି ମ୍ୟାଚ୍ରେ ଦଳର ବୋଲର ୧,୧୯୩ ରନ୍ ବ୍ୟୟ କରିଛନ୍ତି । ବୋଲରମାନଙ୍କ ଏଭଳି ବିଫଳତା ମଧ୍ୟ ଦଳର ଖରାପ ପ୍ରଦର୍ଶନ ପାଇଁ ଏକ ପ୍ରମୁଖ କାରଣ । ବର୍ତ୍ତମାନ ଦଳର ଖେଳିବାକୁ ବାକି ରହିଥିବା ସମସ୍ତ ୫ ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ଦଳ ଚାପରେ ମଧ୍ୟ ରହିଛି । ତେବେ ଅକ୍ଟୋବର ୨୬ରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଦଳ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶ୍ରୀଲଙ୍କାକୁ ଭେଟିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ