ହାଇଦ୍ରାବାଦ: ICC ବିଶ୍ବକପ୍ ୨୦୨୩ ଫାଇନାଲ୍ ଫାଇଟ୍ ପାଇଁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍ । ଆଉ କେବଳ ଗୋଟିଏ ରାତିର ଅପେକ୍ଷା । ଫାଇନାଲ୍ ଏନ୍କାଉଣ୍ଟରରେ ଟ୍ରଫି ପାଇଁ ଲଢ଼ିବେ ବିଶ୍ବକପ୍ ୨୦୨୩ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଶକ୍ତିଶାଳୀ ଦୁଇ ଦଳ ଭାରତ ଓ ଅଷ୍ଟ୍ରେଲିଆ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି ଏହି ଦୁଇ ଦଳ । ତେବେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ଓ ୱିକେଟ୍ ହାସଲକାରୀ ବୋଲରଙ୍କ ବିଷୟରେ ବେଶ ଚର୍ଚ୍ଚା ହେଉଛି । ହେଲେ ଆମେ ଆଜି ଆପଣଙ୍କୁ ଅନ୍ୟ ଏକ ରେକର୍ଡ ବିଷୟରେ କହିବୁ । ପିଚ୍ରେ ରନ୍ ସ୍କୋର ପାଇଁ ଦୌଡ଼ିବା ପ୍ରତିଯୋଗିତାରେ ମଧ୍ୟ ବିରାଟ କୋହଲି ଆଗରେ ରହିଛନ୍ତି ।
ଏହି ହାଇପ୍ରୋଫାଇଲ୍ ଟୁର୍ଣ୍ଣାମେଣ୍ଟରେ ରନ୍ ସ୍କୋର୍ କରିବାରେ ସବୁଠାରୁ ଆଗରେ ଅଛନ୍ତି ଭାରତୀୟ ଷ୍ଟାର୍ ବ୍ୟାଟର ବିରାଟ କୋହଲି । ବିଶ୍ବକପ୍ ୨୦୨୩ରେ ଏପର୍ଯ୍ୟନ୍ତ କୋହଲି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି । ସେ ୧୦ଟି ମ୍ୟାଚ୍ରୁ ୩ ଶତକ ଓ ୫ ଅର୍ଦ୍ଧଶତକ ସହ ମୋଟ ୭୧୧ ରନ୍ ସଂଗ୍ରହ କରି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି । ତେବେ ବାସ୍ତବରେ ବିରାଟ କୋହଲି ବିଶ୍ବକପ୍ରେ ସଂଗ୍ରହ କରିଥିବା ମୋଟ ରନ୍ର ପ୍ରାୟ ୫୬ ପ୍ରତିଶତ ପିଚ୍ରେ ଦୌଡ଼ି ସ୍କୋର କରିଛନ୍ତି । ରିପୋର୍ଟ ଅନୁସାରେ ଭାରତ ଖେଳିଥିବା ୧୦ ମ୍ୟାଚ୍ରେ କୋହଲି ସିଙ୍ଗିଲ୍ ଓ ଡବଲ୍ ରନ୍ ସଂଗ୍ରହ କରିବା ପାଇଁ ପିଚ୍ରେ ପ୍ରାୟ ୭ କିଲୋମିଟର ଦୌଡ଼ି ୪୦୧ ରନ୍ ସ୍କୋର କରିଛନ୍ତି । ଆଉ ଏହି ରେକର୍ଡରେ ମଧ୍ୟ ସେ ୧ ନମ୍ବର ସ୍ଥାନରେ ଅଛନ୍ତି ।
ପ୍ରକାଶଯୋଗ୍ୟ, ପିଚ୍ରେ ୱିକେଟରୁ ୱିକେଟ ମଧ୍ୟରେ ଦୂରତା ୧୭.୬୮ ମିଟର ରହିଥାଏ । ଏହାରି ମଧ୍ୟରେ ୪.୫୬ କିଲୋମିଟର ଦୌଡ଼ି ଦ୍ବିତୀୟରେ ରହିଛନ୍ତି ରଚିନ ରବୀନ୍ଦ୍ର । ୧୦ଟି ମ୍ୟାଚ୍ରେ ରଚିନ ୫୭୮ ରନ୍ ସଂଗ୍ରହ କରିଥିଲେ । ସେଥିମଧ୍ୟରୁ ସେ ୪.୫୬ କିଲୋମିଟର ଦୌଡ଼ି ୨୫୬ ରନ୍ ସ୍କୋର କରିଥିଲେ । ବିରାଟ କୋହଲି ଏବଂ ରାଚିନ୍ ରବୀନ୍ଦ୍ରଙ୍କ ପରେ ଏହି ଦୌଡ଼ ପ୍ରତିଯୋଗିତାରେ ତୃତୀୟରେ ରହିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟର ରସି ଭାନ୍ଡେର୍ ଡସେନ୍ । ସେ ୧୦ଟି ମ୍ୟାଚ୍ରେ ମୋଟ ୪୪୮ ରନ୍ ସ୍କୋର କରିଥିଲେ । ସେଥିମଧ୍ୟରୁ ସେ ୪.୪ କିଲୋମିଟର ଦୌଡ଼ି ୨୪୪ ରନ୍ ସ୍କୋର କରିଥିଲେ । ସେହିପରି ନିଜ କ୍ୟାରିୟରର ଶେଷ ବିଶ୍ବକପ୍ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ୱିକେଟ୍କିପର-ବ୍ୟାଟର କ୍ବିଣ୍ଟନ୍ ଡି'କକ୍ ଚତୁର୍ଥ ସ୍ଥାନରେ ଅଛନ୍ତି । ସେ ୧୦ଟି ମ୍ୟାଚରେ ୫୯୪ ରନ୍ ସଂଗ୍ରହ କରିଥିବାବେଳେ ସେଥିରୁ ୪.୨୪ କିଲୋମିଟର ଦୌଡ଼ି ୨୪୦ ରନ୍ ସ୍କୋର କରିଛନ୍ତି । ଭାରତୀୟ ଦଳର ମଧ୍ୟକ୍ରମ ଷ୍ଟାର ଶ୍ରେୟସ୍ ଆୟର ମଧ୍ୟ ଏହି ତାଲିକାରେ ୫ମରେ ରହିଛନ୍ତି । ସେ ମୋଟ ୪.୨୦ କିଲୋମିଟର ଦୌଡ଼ି ୨୩୮ ରନ୍ ସଂଗ୍ରହ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ