ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । ଭାରତର କ୍ରମାଗତ ବିଜୟ ପରେ ମଧ୍ୟ ଡେଥ୍ ଓଭର ବୋଲିଂ ପିରିସ୍ଥିତି ସୁଧୁରି ନାହିଁ । ଏନେଇ ଅଧିନାୟକ ରୋହିତ ଶର୍ମା କହିଛନ୍ତି, "ଟି୨୦ ମୁକାବିଲାର ପରିଣାମ ଡେଥ ଓଭରରେ ହିଁ ନିର୍ଭର କରିଥାଏ । ତେଣୁ ଆମେ ବିଶ୍ବକପ ପୂର୍ବରୁ ଏହାକୁ ସୁଧାରିବାକୁ ଚେଷ୍ଟା କରିବୁ । ରବିବାର ଗୌହାଟୀରେ ଖେଳାଯାଇଥିବା ଦ୍ବିତୀୟ ଟି୨୦ ମ୍ୟାଚରେ ଭାରତର ବିଶାଳ ଟାର୍ଗେଟ ୨୩୮ ସତ୍ତ୍ବେ ମଧ୍ୟ ଭାରତ ୧୬ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ତେବେ ଦଳର ବ୍ୟାଟିଂ ସ୍ଥିତି ମଜବୁତ ଥିଲେ ମଧ୍ୟ ଦୁର୍ବଳ ବୋଲିଂ ସ୍ଥିତି ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।"
ଦ୍ବିତୀୟ ଟି୨୦ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା କହିଥିଲେ, "ଦଳ ଏକ ରଣକୌଶଳ ନେଇ ବ୍ୟାଟିଂ ଓ ବୋଲିଂ କରିବାକୁ ଚାହେଁ । ଏଥିପାଇଁ ଆମେ କ୍ରିକେଟରମାନଙ୍କ ଆତ୍ମବିଶ୍ବାସ ଦୃଢ କରିବାକୁ ଚାହୁଁ । ଆମେ ଗତ ୫ରୁ ୬ଟି ମ୍ୟାଚ୍ରେ ଡେଥ ଓଭରରେ ଭଲ ବୋଲିଂ କରିନଥିଲୁ । ଡେଥ ଓଭରରେ ବ୍ୟାଟିଂ ଓ ବୋଲିଂ କରିବା ବହୁତ ମୁସ୍କିଲ ହେଉଛି । ଟି୨୦ ମ୍ୟାଚ୍ରେ ଡେଥ ଓଭରରେ ହିଁ ଖେଳର ପରିଣାମ ନିର୍ଣ୍ଣୟ ହୋଇଥାଏ ।"
ରୋହିତ ଆହୁରି ମଧ୍ୟ କହିଛନ୍ତି, "ଏହା ଦଳ ପାଇଁ ଚିନ୍ତାଜନକ ବିଷୟ । ତେଣୁ ବିଶ୍ବକପ ପୂର୍ବରୁ ଦଳ ଏହାକୁ ସୁଧାରିବାକୁ ନିଶ୍ଚିତ ଭାବରେ ଚେଷ୍ଟା କରିବ ।" ଭାରତର ଚାରି ଟପ ଅର୍ଡର ବ୍ୟାଟର ପୁଣି ଥରେ ସେମାନଙ୍କ ବ୍ୟାଟିଂ ପରାକ୍ରମ ଗୌହାଟୀରେ ଦେଖାଇଛନ୍ତି । "ବ୍ୟାଟିଂ ବାବଦରେ ରୋହିତ କହିଛନ୍ତି, "ଟପ୍ ଅର୍ଡର ବ୍ୟାଟରମାନେ ତାଙ୍କର ଦମଦାର ବ୍ୟାଟିଂ ପ୍ରଦର୍ଶନ ଜାରି ରଖିବେ ।"
ସେପଟେ ଦ୍ବିତୀୟ ଟି୨୦ ମ୍ୟାଚ ହାରିବା ପରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା କହିଛନ୍ତି "ଭାରତ ବିପକ୍ଷରେ ଆମେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିନାହିଁ । ଆମ ଦଳରେ ମଧ୍ୟ ବୋଲରମାନେ ଏହି ସିରିଜରେ ବିଫଳ ରହିଛନ୍ତି । ଏଠାରେ ପରିସ୍ଥିତି କିଛି ଭିନ୍ନ ରହିଛି । ଆମେ ଆମର ଯୋଜନାରେ ସଫଳ ହୋଇପାରିଲୁ ନାହିଁ । ଆମେ ବୋଲିଂରେ ସ୍ବିଙ୍ଗ କରିବାକୁ ଚେଷ୍ଟା କରିଥିଲୁ । ହେଲେ ସେଥିରେ ଆମେ ବିଫଳ ରହିଥିଲୁ ।"