ଢାକା: କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ବିଶ୍ବବ୍ୟାପୀ ଚିନ୍ତା ବଢାଇଥିବାବେଳେ ଏଥିରେ ସଂକ୍ରମିତ ହୋଇଛନ୍ତି ଦୁଇ ମହିଳା କ୍ରିକେଟର । ବାଂଲାଦେଶ ମହିଳା କ୍ରିକେଟ ଟିମର ଦୁଇ ସଦସ୍ୟ COVID-19ର ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଜିମ୍ବାୱେରୁ ଘରକୁ ଫେରିବା ପରେ ଏହି ଦୁଇ ସଦସ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଶନିବାର ବାଂଲାଦେଶର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଜାହିଦ ମାଲେକ୍ ସ୍ପଷ୍ଟ କରିଛନ୍ତି ।
ଉଭୟଙ୍କୁ ସୁସ୍ଥ ହେବା ପାଇଁ ସମୟ ଲାଗିବ । ଫଳରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମିତ ଚିହ୍ନଟ ହୋଇଥିବା ଦୁଇ ସଦସ୍ୟଙ୍କୁ ସ୍ବତନ୍ତ୍ର ନୀରିକ୍ଷଣରେ ରଖାଯିବ ବୋଲି ମାଲେକ୍ କହିଛନ୍ତି ।
ଅଧିକ ପଢନ୍ତୁ: ଫୁଟବଲ୍ର ଭଗବାନ ମାରାଡୋନାଙ୍କ ଚୋରି ଘଣ୍ଟା ଆସାମରୁ ଉଦ୍ଧାର
ଜିମ୍ବାୱେରୁ ଫେରିଥିବା ସଦସ୍ୟଙ୍କ ମଧ୍ୟରୁ ଦୁଇ ସଦସ୍ୟ COVID-19 ପଜିଟିଭ ଚିହ୍ନଟ ପରେ ବାଂଲାଦେଶ କ୍ରିକେଟ ବୋର୍ଡ(BCB) ଡିସେମ୍ବର ୬ରେ ମହିଳା ଜାତୀୟ ଟିମର ଆଇସୋଲେସନ ଅବଧିକୁ ବୃଦ୍ଧି କରିଛି ।
ICC ମହିଳା ବିଶ୍ବକପ ୨୦୨୨ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ଜିମ୍ବାୱେ ଗସ୍ତ କରିଥିଲା ବାଂଲାଦେଶ ମହିଳା ଟିମ । ତେବେ ଓମିକ୍ରନ ଭୟ ଯୋଗୁଁ ପ୍ରତିଯୋଗିତା ଅଧାରୁ ବାତିଲ ଘୋଷଣା କରାଯିବା ପରେ ସ୍ବଦେଶ ଫେରିଥିଲା ଟିମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ