ଡବଲିନ: ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଆଜି (ରବିବାର) ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଆଜି ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଭିଭିଏସ ଲକ୍ଷ୍ମଣ ଦଳର କୋଚ ଦାୟିତ୍ବରେ ରହିଛନ୍ତି । ଘରୋଇ ଦଳ ବିପକ୍ଷରେ କ୍ଲିନ ସୁଇପ ଲକ୍ଷ୍ୟ ରଖିଛି ଭାରତ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ସିରିଜରେ ଋଷଭ ପନ୍ତ ନେତୃତ୍ବ ନେଇଥିଲେ । ବର୍ତ୍ତମାନ ଶ୍ରେୟସ ଆୟର ଓ ପନ୍ତ ଇଂଲଣ୍ଡ ଗସ୍ତ କରି ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଦଳର ମଙ୍ଗ ଧରିଛନ୍ତି । ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳ କିପରି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ବ୍ୟାଟିଂ କ୍ରମରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ରାହୁଲ ତ୍ରୀପାଠୀ ଦୌଡରେ ରହିଛନ୍ତି । ଫିଟ ହୋଇ ଫେରିବା ଥିବା ସୂର୍ଯ୍ୟକୁମାର 3 ନମ୍ବରରେ ବ୍ୟାଟିଂ କରିବା ଏକ ପ୍ରକାର ନିଶ୍ଚିନ୍ତ । ସେ 12ଟି ଟି-ଟ୍ବେଣ୍ଟି ଖେଳି 165. 56 ଷ୍ଟ୍ରାଇକ ରେଟ୍ରେ ରନ ସଂଗ୍ରହ କରିଛନ୍ତି । ମଧ୍ୟ ଭାଗରେ ଦୀପକ ହୁଡ୍ଡା ଓ ଭେଙ୍କଟେଶ ଆୟର ଦାବିଦାର ରୁପେ ଉଭା ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ସିରିଜ ବିପକ୍ଷରେ ଉଭୟ ଖେଳିବାକୁ ସୁଯୋଗ ପାଇନଥିଲେ ।
ବୋଲିଂ ବିଭାଗରେ ଦୁଇ ଯୁବ ପେସ୍ ବୋଲର ଅର୍ଶଦୀପ ସିଂହ ଓ ଉମ୍ରାନ ମିଲିକ ଦକ୍ଷିଣ ଆଫ୍ରିକା ସିରିଜ ଦଳରେ ସାମିଲ ହୋଇଥିଲେ ବି ପର୍ଦାପଣ କରି ପାରିନଥିଲେ । ଆଜି ସେ ପର୍ଦାପଣ କରି ପାରନ୍ତି । ଯୁଜଭେନ୍ଦ୍ର ଚହଲଙ୍କ ସହ ସ୍ପିନ ବୋଲିଂ ଦାୟିତ୍ବ ସମ୍ଭାଳି ପାରନ୍ତି ରବି ବିଷ୍ଣୋଇ । ମ୍ୟାଚ୍ ନେଇ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ''ପୂର୍ବରୁ ଦାୟିତ୍ବ ନେବା ପସନ୍ଦ ଥିଲା ଆଜି ବି ପସନ୍ଦ । ଏବେ ଟିକେ ଅଧିକା । ମୁଁ ସବୁବେଳେ ଭାବେ ଯେ ଯେବେ ଦାୟିତ୍ବ ନେଇଛି ସେବେ ପ୍ରଦର୍ଶନ ଭଲ କରିଛି । କ୍ରିକେଟ ଏମିତି ଏକ ଖେଳ ଯେଉଁଠି ପରିସ୍ଥିତିରେ ମଜବୁତ ହେବା ଗୁରୁତ୍ବପୂର୍ଣ୍ଣ ।"
ସିରିଜରେ ନେତୃତ୍ବ ଦାୟିତ୍ବକୁ କିପରି ତୁଲାଉଛନ୍ତି ତାହା ଦେଖିବା ବାକି ରହିଲା । ସେପଟେ ଆୟର୍ଲାଣ୍ଡ ମଧ୍ୟ ମ୍ୟାଚ କବଜା କରିବାକୁ ଫୁଲ ପ୍ରସ୍ତୁତ ରହିଛି । ଦଳରେ ଭଳ ଷ୍ଟ୍ରୋକ ଖେଳାଳି ଅଛନ୍ତି । ଅଫସ୍ପିନରଙ୍କୁ ଲଗାଇ ଭାରତୀୟ ବ୍ୟାଟରଙ୍କ ଉପରେ ରୋକ୍ ଲଗାଇବାକୁ ଚେଷ୍ଟା କରିବେ ଅଧିନାୟକ ଆଣ୍ଡି ବାଲବର୍ନି । ପୂର୍ବରୁ ଦୁଇ ଦଳ ପରସ୍ପରକୁ 3 ଥର ଭେଟିଛନ୍ତି । ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଛି ।
ପୂର୍ବ ପ୍ରଦର୍ଶନକୁ ଦେଖିଲେ ଆଜି ଭାରତର ପଲ୍ଲା ଭାରି ରହିଛି । ଗତ ଟି-ଟ୍ବେଣ୍ଟି ବିଶ୍ବକପ ପରଠୁ ଆୟର୍ଲାଣ୍ଡ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହିଁ । ମାଲହାଇଡ ପିଚ ବ୍ୟାଟିଂ ପାଇଁ ବେଶ ସୁହାଇବ । ତେଣୁ ଟସ ବିଜୟୀ ଟିମ ବ୍ୟାଟିଂ ନିଷ୍ପତ୍ତି ନେବା ଥୟ । ଭାରତୀୟ ସମୟ ଅନୁସାରେ ରାତି ୯ଟାରେ ଖେଳାଯିବ ମ୍ୟାଚ୍ ।