ଦୁବାଇ: 2022 ଟି-20 ବିଶ୍ବକପ ପାଇଁ ୟୁରୋପିଆନ ସବ ରିଜିନାଲ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ହେଲା ବାତିଲ । ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଅଷ୍ଟ୍ରେଲିଆରେ ହେବାକୁ ଥିବା 2022 ଟି-20 ବିଶ୍ବକପ ପାଇଁ ପୁରୁଷ ବିଭାଗରେ ୟୁରୋପିଆନ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚକୁ ବାତିଲ କରି ଦିଆଯାଇଛି । ଏହାକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଥମ ଥର ପାଇ ଫିନଲ୍ୟାଣ୍ଡ କୌଣସି ଆଇସିସି ମ୍ୟାଚ ଆୟୋଜନ ହୋଇଥାନ୍ତା । ୟୁରୋପ ଏ ଓ ୟୁରୋପ ବି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଜୁନ ମାସ 30 ତାରିଖରୁ ଜୁଲାଇ 5 ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚର ଗ୍ରୁପ ବି ରେ ଜର୍ମାନା, ଗ୍ରୀସ, ହଙ୍ଗାରୀ, ଲକ୍ସମବର୍ଗ ଓ ସ୍ବିଡନ ଭଳି ଦେଶ ଭାଗ ନେବାକୁ କାର୍ଯ୍ୟକ୍ରମ ରହିଥିଲା । କ୍ବାଲିଫାୟର୍ସ ଏ ରେ ଫ୍ରାନ୍ସ, ଇସ୍ରାଏଲ, ଇଟାଲୀ, ମାଲତା, ନର୍ବେ, ଓ ସ୍ପେନ ଭଳି ଦେଶ ସାମିଲ ଥିଲେ ।
ସେହିଭଳି ଟି-20 ବିଶ୍ବକପ 2022 ପାଇଁ ଗ୍ରୁପ ସି ମ୍ୟାଚ ଗୁଡ଼ିକ ଜୁଲାଇ 5 ତାରିଖରୁ ଆରମ୍ଭ ହେବାକୁ ଥିଲା । ଏଥିରେ ଅଷ୍ଟ୍ରିଆ, ବେଲଜିୟମ, ଡେନମାର୍କ, ଇସ୍ଲେ ଅଫ ମ୍ୟାନ, ରୋମାନିଆ, ପର୍ତ୍ତୁଗାଲ ଓ ସର୍ବିଆ ଭଳି ଦେଶ ସାମିଲ ରହିଥିଲେ । 2020 ଏପ୍ରିଲ 30 ତାରିଖ ସୁଦ୍ଧା ଟି-20 ରାଙ୍କିଂ ଅନୁଯାୟୀ ଇଟାଲୀ, ଜର୍ମାନୀ ଓ ଡେନମାର୍କକୁ ଟି-20 ବିଶ୍ବକପ ପାଇଁ ଟିକଟ ମିଳିଛି ।
ଏହାକୁ ନେଇ ଆଇସିସି ପକ୍ଷରୁ କୁହାଯାଇଛି ଯେ, " ୟୁରୋପିଆନ ସବ ରିଜିନାଲ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ବର୍ତ୍ତମାନ ଅନୁକୂଳ ପରସ୍ଥିତି ନାହିଁ । ଯେଉଁ ସବୁ ଦେଶରେ ଏହି ମ୍ୟାଚ ଆୟୋଜନ ହେବାକୁ ଥିଲା ସେଠାରେ କୋରୋନା ସଂକ୍ରମଣ ଉପର ମୁହାଁ ରହିଛି । ଫଳରେ ଏହି ପର୍ଯ୍ୟାୟକୁ ବାତିଲ କରିବାକୁ ଆମେ ବାଧ୍ୟ ହୋଇଛୁ । 2020 ଟି-20 ରାଙ୍କିଂ ଅନୁଯାୟୀ 3ଟି ଦଳକୁ 2022 ଟି-20 ବିଶ୍ବକପରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ