ଲାହୋର: ଟି-୨୦ ବିଶ୍ବକପକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ପୂର୍ବ ଘୋଷିତ ସ୍କ୍ବାଡ୍ରେ ଅଦଳବଦଳ ଜାରି ରଖିଛି ପାକିସ୍ତାନ । ଅସୁରକ୍ଷିତ ମଣିବା ସହ ପାକିସ୍ତାନରେ ଦ୍ବିପାକ୍ଷିକ ସିରିଜ ଖେଳିବାକୁ ଅରାଜି ହେଉଛନ୍ତି କ୍ରିକେଟ ଖେଳୁଥିବା ଶୀର୍ଷ ଦେଶ ଗୁଡିକ । ଫଳରେ ପାକିସ୍ତାନ ପାଖରେ ICC ଇଭେଣ୍ଟ ହିଁ ଏକମାତ୍ର ବିକଳ୍ପ ରହିଛି, ଯେଉଁଠାରେ ଟିମ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।
ଅଲରାଉଣ୍ଡର ସୋଏବ ମଲିକଙ୍କୁ ସ୍କ୍ବାଡରେ ସାମିଲ କରିଛି ପାକିସ୍ତାନ । ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ(PCB) ଘୋଷଣା କରିଥିବା ସ୍କ୍ବାଡରୁ ଆହତ କାରଣରୁ ବାଦ୍ ପଡିଛନ୍ତି ସାକିବ ମାସୁଦ । ଫଳରେ ତାଙ୍କ ବଦଳ ଖେଳାଳି ଭାବେ ସୋଏବଙ୍କୁ ସ୍କ୍ବାଡରେ ସ୍ଥାନ ମିଳିଛି । ଏନେଇ ଶନିବାର ପିସିବି ପକ୍ଷରୁ ଘୋଷଣା କରାଯାଇଛି।
ଟି-୨୦ ବିଶ୍ବକପ ଭଳି ମେଗା ଟୁର୍ଣ୍ଣାମେଣ୍ଟରେ ସୋଏବଙ୍କ ଅଭିଜ୍ଞତାରୁ ଟିମକୁ ଲାଭ ମିଳିବ ବୋଲି କହିଛନ୍ତି ପାକିସ୍ତାନର ମୁଖ୍ୟ ଚୟନକର୍ତ୍ତା ମହମ୍ମଦ ୱାସିମ ।
ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣ ୨୦୦୭ରେ ସୋଏବ ପାକିସ୍ତାନର କ୍ୟାପଟେନ ରହିଥିଲେ ଓ ଭାରତ ଚମ୍ପିଆନ ହେବାପରେ ରନର୍ସଅପ୍ ହୋଇଥିଲା ଟିମ୍ । ୨୦୦୯ରେ ଟି-୨୦ ବିଶ୍ବକପ ଟ୍ରଫି ଜିତିଥିବା ପାକିସ୍ତାନ ଟିମର ସେ ବିଜୟୀ ସଦସ୍ୟ ରହିଥିଲେ । ୨୦୧୦ ସଂସ୍କରଣରେ ଟୁର୍ଣ୍ଣାମେଣ୍ଟରେ ସ୍କ୍ବାଡରୁ ବାଦ୍ ପଡିଥିଲେ ଓ ପରେ ୨୦୧୨, ୨୦୧୪ ଓ ୨୦୧୬ ସଂସ୍କରଣରେ ପୁନର୍ବାର ସ୍କ୍ବାଡକୁ ଫେରିଥିଲେ ।
ପାକିସ୍ତାନ ପାଇଁ ସେ ୧୧୬ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ୩୧.୧୩ ଆଭରେଜ୍ରେ ୨,୩୩୫ ସ୍କୋର କରିଛନ୍ତି । ୨୮ ୱିକେଟ ମଧ୍ୟ ତାଙ୍କ ନାମରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ