ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ୧୪ତମ ସଂସ୍କରଣର ଦ୍ବିତୀୟ ଭାଗ ଆଜି ଠାରୁ(ରବିବାର) ଆରମ୍ଭ ହେଉଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) UAEରେ ଫ୍ୟାନ୍ସଙ୍କୁ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ଗ୍ରୀନ ସିଗନାଲ ଜଣାଇଛି । ଦୁବାଇ, ଆବୁଧାବି ଓ ଶାରଜାହ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ବଳକା ମ୍ୟାଚ୍ ସବୁ ଖେଳାଯିବ । ତେବେ COVID-୧୯ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ କଡା କଟକଣା ରଖାଯାଇଛି । ସମସ୍ତ ଗୁରୁତ୍ବପୂର୍ଣ୍ଣ ନିୟମାବଳୀ ସମସ୍ତ ୮ଟି ଫ୍ରାଞ୍ଚାଇଜଙ୍କୁ ଜଣାଇ ଦିଆଯାଇଛି ।
ନିୟମ ଅନୁଯାୟୀ, ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମକୁ ମ୍ୟାଚ୍ ଦେଖିବାକୁ ଚାହୁଁଥିବା ଫ୍ୟାନ୍ସଙ୍କୁ ପ୍ରବେଶର 48 ଘଣ୍ଟା ମଧ୍ୟରେ ହୋଇଥିବା PCR ଟେଷ୍ଟର ଆବଶ୍ୟକତା ନାହିଁ ମାତ୍ର ଦୁଇଟି ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଥିବା ଜରୁରୀ । ସମସ୍ତ ଫ୍ୟାନ୍ସଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହିତ ସବୁ ସମୟରେ ମାସ୍କ ପିନ୍ଧିବାକୁ ହେବ । କେବଳ ୧୨ ବର୍ଷରୁ କମ ବୟସର ହୋଇଥିଲେ ଟିକା ପ୍ରମାଣପତ୍ର ଦେଖାଇବା ନିୟମରେ କୋହଳ ହେବ । ନିଜ ମୋବାଇଲରେ ଫ୍ୟାନ୍ସ ଟିକେଟ ଡାଉନଲୋଡ୍ କରିବେ ଓ ଗେଟ୍ରେ ସ୍କାନିଂ କରି ଭିତରକୁ ପ୍ରବେଶ କରିବେ ।
ତେବେ ଶାରଜାହ କ୍ରିକେଟ ଷ୍ଟାଡିୟମ ଭିତରକୁ ପ୍ରବେଶ ନିୟମରେ ସାମାନ୍ୟ ଭିନ୍ନ ନିୟମ ରହିଛି । ଏହି ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବାକୁ ଚାହୁଁଥିଲେ ଅତିକମରେ ଫ୍ୟାନ୍ସଙ୍କ ବୟସ ୧୬ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଗେଟ୍ରେ ପ୍ରବେଶ ସମୟରେ ଫ୍ୟାନ୍ସଙ୍କୁ ଦୁଇଟି ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ସହିତ ୪୮ ଘଣ୍ଟା ମଧ୍ୟରେ ହୋଇଥିବା PCR ଟେଷ୍ଟ ରେଜଲ୍ଟ ଦେଖାଇବାକୁ ହେବ ।
ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ମଧ୍ୟ ୧୬ ବର୍ଷରୁ ଅଧିକ ବୟସର ଫ୍ୟାନ୍ୟଙ୍କୁ ଟିକା ପ୍ରମାଣପତ୍ର ସହିତ ୪୮ ଘଣ୍ଟା ମଧ୍ୟରେ ହୋଇଥିବା PCR ଟେଷ୍ଟ ରେଜଲ୍ଟ ଦେଖାଇବାକୁ ହେବ । ତେବେ ୧୨-୧୫ ବର୍ଷ ମଧ୍ୟରେ ଥିବା ଫ୍ୟାନ୍ସଙ୍କୁ ଟିକା ପ୍ରମାଣପତ୍ର ବଦଳରେ PCR ଟେଷ୍ଟ ରିପୋର୍ଟ ସାଙ୍ଗରେ ନେବାକୁ ହେବ। ୧୨ବର୍ଷରୁ କମ ବୟସର ଥିବା ଫ୍ୟାନ୍ସ ପ୍ରାପ୍ତ ବୟସ ବା ୨୧ବର୍ଷରୁ ଅଧିକ ସଂପର୍କୀୟଙ୍କ ସହିତ ଆସିଥିବା ଜରୁରୀ । ମାସ୍କ ପିନ୍ଧିବା ସାମାଜିକ ଦୂରତା ପାଳନା କରିବା ବାଧ୍ୟତାମୂଳକ । ପ୍ରବେଶ ଗେଟ୍ରେ ତାପମାତ୍ର ଚେକ୍ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଥରେ ଜଣେ ଫ୍ୟାନ୍ସ ଷ୍ଟାଡିୟମ ଗେଟ୍ର ବାହାରକୁ ଆସିଲେ ପୁଣିଥିରେ ପ୍ରବେଶ କରିପାରିବେ ନାହିଁ ।
IPL ୨୦୨୧ର ଅବଶିଷ୍ଟ ମ୍ୟାଚ ଡିଫେଣ୍ଡିଂ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରୁ ଆରମ୍ଭ ହେବ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଏହି ମ୍ୟାଚ୍ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ