ଦୁବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ବୋଲର ହର୍ଷଲ ପଟେଲ IPL 2021ରେ ହ୍ୟାଟ୍ରିକ ହାସଲ କରିଥିବା ପ୍ରଥମ ବୋଲର ହାଇଛନ୍ତି । ଏହି ଅବିଶ୍ବସନୀୟ ପ୍ରଦର୍ଶନ ସହିତ ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫୪ ରନ୍ରେ ହରାଇବାରେ ପ୍ରମୁଖ ଭୁମିକା ନିଭାଇଥିଲେ ହର୍ଷଲ । ଏହି ବିଜୟ ମୁମ୍ବାଇକୁ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ସ୍ଥିର ରଖିଥିବାବେଳେ ମୁମ୍ବାଇ ସପ୍ତମ ସ୍ଥାନକୁ ଖସିଯାଇଛି ।
ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ୩୯ତମ ମ୍ୟାଚ୍ ସୁଦ୍ଧା ସର୍ବାଧିକ ୱିକେଟ ହାସଲ ସହ ପର୍ପଲ କ୍ୟାପ ପାଖରେ ରଖିଛନ୍ତି ହର୍ଷଲ । ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ ଓ ରାହୁଲ ଚହରଙ୍କୁ ଲଗାତାର ୩ଟି ବଲ୍ରେ ଆଉଟ୍ କରି ପାଭିଲିୟନ ଫେରାଇଦେଇଥିଲେ ହର୍ଷଲ । ଏହାପରେ ୧୯ତମ ଓଭରରେ ଆଡାମ ମିଲନେଙ୍କୁ ମଧ୍ୟ ଶିକାର କରିଥିଲେ ।
୧୬୬ ରନ୍ର ପିଛା କରିଥିବା ମୁମ୍ବାଇ ପ୍ରଥମ ୬ ଓଭରରେ (ପାୱାରପ୍ଲେ) କୌଣସି ୱିକେଟ ନ ହରାଇ ୫୬ ରନ୍ ସଂଗ୍ରହ କରିବା ସହ ଦୃଢ ସ୍ଥିତିରେ ଥିଲା । ପରେ ୯.୫ ଓଭର ସୁଦ୍ଧା ରୋହିତ ଶର୍ମାଙ୍କ ୱିକେଟ ହରାଇବା ପୂର୍ବରୁ ମୁମ୍ବାଇର ସ୍କୋର ୭୯/୧ ଥିଲା । ଏହାପରଠାରୁ ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହେଇଥିଲା ଓ ୧୧୧ରେ ଅଲଆଉଟ୍ ହୋଇଥିଲା । ରୋହିତ ଓ କ୍ବିଣ୍ଟନ ଡିକକ୍(୨୪)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରିନଥିଲେ ।
ହର୍ଷଲ ପଟେଲ ଆଇପିଏଲ ୨୦୨୧ରେ ହ୍ୟାଟ୍- ଟ୍ରିକ୍ ହାସଲ କରିଥିବା ପ୍ରଥମ ବୋଲର ହୋଇଛନ୍ତି । IPL ଇତିହାସରେ ତୃତୀୟ RCB ବୋଲର ଭାବେ ମଧ୍ୟ ଏହି ହ୍ୟାଟ୍- ଟ୍ରିକ୍ ହାସଲ କରିବାରେ ରେକର୍ଡ କରିଛନ୍ତି । ପୂର୍ବରୁ ପ୍ରବୀଣ କୁମାର ଓ ସାମୁଏଲ ବଦ୍ରୀ ଏହି କରିସ୍ମା କରିସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ