ଲଣ୍ଡନ: ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆହତ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଥିଲେ । ମାତ୍ର ଷ୍ଟାର ଇଂଲିସ ଅଲରାଉଣ୍ଡର ଷ୍ଟୋକ୍ସ, ଖୁବଶୀଘ୍ର କ୍ରିକେଟକୁ ଫେରିବାକୁ ଯାଉଛନ୍ତି । ଆସନ୍ତା ସପ୍ତାହରେ ଏକ ଟି20 ମ୍ୟାଚ୍ ସହ ପ୍ରତିଯୋଗିତାମୂଳକ ମ୍ୟାଚରେ ନଜର ଆସିବେ । ଅଗଷ୍ଟ-ସେପ୍ଟେମ୍ବରରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରମୁଖ ଖେଳାଳି ରହିଛନ୍ତି ଷ୍ଟୋକ୍ସ ।
ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) ଏଯାବତ ସ୍ପଷ୍ଟ କରିନାହିଁ । ମାତ୍ର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁନ 14ରେ ଲାନସାୟର ବିପକ୍ଷରେ ଧୂରହମ ପକ୍ଷରୁ ଖେଳିପାରନ୍ତି ଷ୍ଟୋକ୍ସ । ଜୁନ 15ରୁ 20 ମଧ୍ୟରେ ଧୂରହମ 4ଟି ମ୍ୟାଚ ଖେଳିବା ନେଇ ସୂଚୀ ରହିଛି ।
ଏହା 3 ବର୍ଷରେ ଷ୍ଟୋକ୍ସଙ୍କ ପ୍ରଥମ ଟି20 ବ୍ଲାଷ୍ଟ ମ୍ୟାଚ ହେବ । ଷ୍ଟୋକ୍ସଙ୍କ ବ୍ୟତୀତ ଅନ୍ୟ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ଜସ ବଟଲର, ଜନ୍ନି ବେୟାରଷ୍ଟୋ ଓ ଆଦିଲ ରସିଦ ମଧ୍ୟ ଏହି ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନଜର ଆସିବେ । 30 ବର୍ଷୀୟ ଷ୍ଟୋକ୍ସ ଆଙ୍ଗୁଠିରେ ଆଘାତ ପରେ ଇଣ୍ଡିଆନ ପ୍ରିମିୟର ଲିଗ 2021ରୁ ବାଦ ପଡିଥିଲେ । ପରେ ଏକାଧିକ ଖେଳାଳି କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ଘୋଷଣା ହୋଇଥିଲା । ଆଇପିଏଲ ଟିମ ରାଜସ୍ଥାନ ରୟାଲ୍ସର ପ୍ରମୁଖ ସଦସ୍ୟ ରହିଛନ୍ତି ଷ୍ଟୋକ୍ସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ