ଲଣ୍ଡନ: ମ୍ୟାଚ ରେଫରୀ କୋରୋନା ସଂକ୍ରମିତ ହେବା ସତ୍ତ୍ବେ ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଜାରି ରହିବ ଦିନିକିଆ ସିରିଜ । ଗତ ଶନିବାର ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଟି-20 ସିରିଜ ଶେଷ ହୋଇଥିଲା । ତେବେ ସିରିଜ ଶେଷ ହେବାପରେ ତୃତୀୟ ଟି-20 ମ୍ୟାଚ ରେଫରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।
ମ୍ୟାଚ ରେଫରୀଙ୍କ ଆରଟିପିସିଆର ଟେଷ୍ଟ ପରେ ସେ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାପରେ ଆଗକୁ ହେବାକୁ ଦିନିକିଆ ସିରିଜ ଆୟୋଜନ ନେଇ ଆଶଙ୍କା ଦେଖା ଦେଇଥିଲା । ତେବେ କୌଣସି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ ତାଙ୍କ ସଂସ୍ପର୍ଶରେ ଆସିନାହାନ୍ତି । ଏଥିପାଇଁ ଇଂଲଣ୍ଡ ଓ ଶ୍ରୀଲଙ୍କା ଦିନିକିଆ ମ୍ୟାଚରେ ଏହାର କୌଣସି ପ୍ରଭାବ ପଡ଼ିବନି ।
ପୂର୍ବ ସୂଚୀ ମୁତାବକ ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆୟୋଜନ ହେବା ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ସୂଚନା ଦେଇଛି । ମଙ୍ଗଳବାର ଡରହାମରେ ଷ୍ଟାଡିୟମରେ ଆରମ୍ଭ ଏହି ଦିନିକିଆ ମ୍ୟାଚ । ତେବେ ମ୍ୟାଚ ରେଫରୀଙ୍କ ସଂସ୍ପର୍ଶରେ ଆସିଥିବା 10 ଜଣ ଷ୍ଟାଡିୟମ କର୍ମଚାରୀଙ୍କୁ କ୍ବାରେଣ୍ଟିନରେ ରହିବାକୁ କୁହାଯାଇଛି ।
ମ୍ୟାଚ ରେଫରୀ ଫିଲ ହ୍ବାଇଟକେସ କୋରୋନା ସଂକ୍ରମିତ ହୋଇଥିବା ନେଇ ଆଇସିସିକୁ ଜଣାଇଛି ଇଂଲଣ୍ଡ କ୍ରିକେଟ ବୋର୍ଡ । ଏହା ଦୁଇ ଦେଶର କୌଣସି ଖେଳାଳି ତାଙ୍କ ସଂସ୍ପର୍ଶରେ ଆସନଥିବା ସ୍ପଷ୍ଟ କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ