କଟକ: ରାଜ୍ୟରେ କ୍ରୀଡା ଭିତ୍ତିଭୂମି ବୃଦ୍ଧିରେ ଆଉ ପାଦେ ଆଗେଇଲା ଓଡିଶା । ସାରା ରାଜ୍ୟରେ ହେବ କ୍ରିକେଟ ଏକାଡେମୀ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର OCAର ପ୍ରସ୍ତାବିତ କ୍ରିକେଟ ଏକାଡେମୀର ଶିଳାନ୍ୟାସ କରିଛନ୍ତି ।
ଏହି ଏକାଡେମୀ ଗୁଡିକ ଓଡିଶା କ୍ରିକେଟ ଆସୋସିଏସନ(OCA) ଦ୍ବାରା ପରିଚାଳିତ ହେବ । କ୍ରିକେଟ ଏକାଡେମୀ ପ୍ରତିଷ୍ଠା ପଦକ୍ଷେପ ହେଉଛି OCAର ଭିଜନ 2024 ର ଏକ ଅଂଶ । ତୃଣମୂଳ ସ୍ତରରେ ରାଜ୍ୟରେ ଥିବା କ୍ରିକେଟ ପ୍ରତିଭା ସନ୍ଧାନ ସହ ସେମାନଙ୍କ ପାଇଁ ନିଜ ଜିଲ୍ଲାରେ ଉଚିତ୍ ପ୍ରଶିକ୍ଷଣର ବ୍ୟବସ୍ଥା ଲକ୍ଷ୍ୟ ରହିଛି ।
ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ହେବାକୁ ଯାଉଥିବା ଜିଲ୍ଲା ଗୁଡିକ ହେଉଛି ଭୁବନେଶ୍ବର, ମୟୁରଭଞ୍ଜ, ସମ୍ବଲପୁର, କଟକ, ଖୋର୍ଦ୍ଧା, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ, ନୂଆପଡା, ଅନୁଗୋଳ, ଯାଜପୁର, ଢେଙ୍କାନାଳ, ଯାଜପୁର, ବାଲେଶ୍ବର ଓ ଭଦ୍ରକ ।
ପ୍ରସ୍ତାବିତ କ୍ରିକେଟ ଏକାଡେମୀରେ ଗୋଟିଏ ଭଲ ପଡିଆ ଉପଲବ୍ଧ ହେବ, କୋଚ୍ ଓ ଖେଳାଳିଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିବ । ରାଜ୍ୟ କ୍ରୀଡା ବିଭାଗର ସଚିବ ବିଶାଲ ଦେବ, OCA ସମ୍ପାଦକ ସଞ୍ଜୟ ବେହେରା ଓ OCAର ଅନ୍ୟ ସଦସ୍ୟ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ