ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହେବାକୁ ଥିବା ଟେଷ୍ଟ୍, ଦିନିକିଆ ଓ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଟେଷ୍ଟ୍ ଓ ଦିନିକିଆରେ ଟିମ୍ ଇଣ୍ଡିଆର ନେତୃତ୍ବ ରୋହିତ୍ ଶର୍ମା ନେବେ ଓ ବିରାଟ କୋହଲି ଦଳର ମୁଖ୍ୟ ଖେଳାଳୀ ଭାବେ ମୈଦାନକୁ ଓହ୍ଲାଇବେ । ହେଲେ ଟି୨୦ ଶୃଙ୍ଖଳାରୁ ଏହି ଦୁଇ ଭେଟେରାନ୍ ତାରକାଙ୍କୁ ବାଦ୍ ଦିଆଯାଇଛି । ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି୨୦ ବିଶ୍ବକପ୍ ୨୦୨୨ ପରଠାରୁ ଏହି ଦୁଇ ଖେଳାଳୀ ଗୋଟିଏ ବି ଟି୨୦ ମ୍ୟାଚ୍ ଖେଳି ନାହାନ୍ତି । ତେବେ ଏନେଇ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି୨୦ରୁ ରୋହିତ୍ ଓ ବିରାଟଙ୍କ କାହିଁକି ବାଦ୍ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ୱେଷ୍ଟଇଣ୍ଡିଜ ବିପକ୍ଷ ଟି-20 ଭାରତୀୟ ଦଳ; ବରିଷ୍ଠଙ୍କୁ ବିଶ୍ରାମ, ପାଣ୍ଡ୍ୟା ଅଧିନାୟକ
ଏକ ସାକ୍ଷାତକାରରେ ସୌରଭ ଗାଙ୍ଗୁଲି କହିଛନ୍ତି, "ଆପଣ ଟି୨୦ ପାଇଁ ସର୍ବଶ୍ରେଷ୍ଠ ଖେଳାଳୀ ଚୟନ କଲେ, ସେମାନେ କିଏ କିଛି ଫରକ ପଡ଼ୁନି । କିନ୍ତୁ ମୋ ମତରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଖରେ ଏବେ ମଧ୍ୟ ଅନ୍ତର୍ଜାତୀୟ ଟି୨୦ ଖେଳିବାକୁ ସ୍ଥାନ ରହିଛି । କିନ୍ତୁ ମୁଁ ବୁଝିପାରୁନି, କାହିଁକି ଉଭୟଙ୍କୁ ଟି୨୦ ଦଳରେ ସ୍ଥାନିତ କରାଯାଇନାହିଁ । କୋହଲି ଆଇପିଏଲ୍ରେ ଭଲ ଫର୍ମରେ ଥିଲେ, ତେବେ ତାଙ୍କୁ ଚୟନ କରିବାରେ ଅସୁବିଧା କେଉଁଠି ରହିଲା ?" କେବଳ ଏହି ଦୁଇ ଖେଳାଳି ନୁହନ୍ତି, ଆଇପିଏଲ୍ରେ କୋଲକାତା ପାଇଁ ସବୁଠାରୁ ଆକର୍ଷଣୀୟ ପାଳି ଖେଳିଥିବା ରିଙ୍କୁ ସିଂ, ଋତୁରାଜ ଗାଏକ୍ୱାଡଙ୍କ ଭଳି ତାରକାଙ୍କୁ ମଧ୍ୟ ଚୟନ କରାଯାଇନଥିବାରୁ ନୂଆ କରି ଚୟନ କମିଟିର ମୁଖ୍ୟ ଭାବେ ଦାୟିତ୍ବ ନେଇଥିବା ଅଜିତ ଅଗରକରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।
ଏହା ମଧ୍ୟ ପଢ଼ନ୍ତୁ...Indian Team for West Indies Tour: ରୋହିତ-କୋହଲିଙ୍କର ବିକଳ୍ପ ନାହିଁ, ଟେଷ୍ଟରୁ ପୂଜାରାଙ୍କୁ ଛୁଟି
ଏହି ଯୁବ ଖେଳାଳୀମାନଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି୨୦ ଦଳରେ ଚୟନ କରାନଯିବାକୁ ନେଇ ଗାଙ୍ଗୁଲି କହିଛନ୍ତି, "ସେମାନଙ୍କ ସମୟ ଆସିବ, ସେମାନେ ଖେଳ ଜାରି ରଖିବା ଆବଶ୍ୟକ । ଯେଉଁଥିରେ ବି ସୁଯୋଗ ମିଳୁଛି, ସେମାନେ ସେଥିରେ ଉତ୍ତମ ପ୍ରଦର୍ଶନ କରିବାର ଅଛି । ହେଲେ ଟିମ୍ରେ ସବୁବେଳେ ୧୫ ଜଣଙ୍କୁ ଚୟନ କରାଯାଇଥାଏ ଏବଂ ୧୧ ଜଣ ଖେଳିଥାଆନ୍ତି । ସେଥିପାଇଁ କିଛି ଖେଳାଳୀ ତ ବାଦ୍ ପଡ଼ିବେ । ସେମାନଙ୍କର ସମୟ ନିଶ୍ଚୟ ଆସିବ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ