ନୂଆଦିଲ୍ଲୀ: ଟିମ ଇଣ୍ଡିଆର ନେତୃତ୍ବ ନେଇପାରନ୍ତି ଓପନର ଶିଖର ଧାୱନ । ଜୁଲାଇରେ ସୀମିତ ଓଭର ସିରିଜ ଖେଳିବାକୁ ଶ୍ରୀଲଙ୍କା ଗସ୍ତରେ ଯିବ ଭାରତୀୟ ଟିମ । ବିରାଟ କୋହଲିଙ୍କ ନେତୃତ୍ବରେ ସମାନ ସମୟରେ ଇଂଲଣ୍ଡ ବିପକ୍ଷରେ 5ଟିକିଆ ଟେଷ୍ଟ ସିରିଜରେ ବ୍ୟସ୍ତଥିବେ ଷ୍ଟାର ଖେଳାଳି । ଫଳରେ ଶୀର୍ଷ ଖେଳାଳିଙ୍କ ଅନୁପସ୍ଥିତିରେ ଧାୱନଙ୍କୁ କ୍ୟାପଟେନ ଦାୟିତ୍ବ ମିଳିବା ସମ୍ଭାବନା ରହିଛି ।
ଭୁବନେଶ୍ବର କୁମାର, ପୃଥ୍ବୀ ଶ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନ ଶ୍ରୀଲଙ୍କା ବିପକ୍ଷ ହ୍ବାଇଟବଲ୍ ସିରିଜରେ ଖେଳିବା ସମ୍ଭାବନା ରହିଛି । ଜୁଲାଇ 13ରୁ ଦ୍ବୀପ ଦେଶ ବିପକ୍ଷରେ ଗୋଟିଏ ଭେନ୍ୟୁରେ ଭାରତ 3ଟି ଦିନିକିଆ ଓ 3ଟି ଟି20 ମ୍ୟାଚ ଖେଳିବା ନେଇ ସୂଚୀ ରହିଛି ।
ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ସିରିଜରେ ସ୍ଥାନ ମିଳିପାରେ । ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ 2020ରେ ଦମଦାର ପ୍ରଦର୍ଶନ କରିଥିଲେ ଓ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ଘରୋଇ ସିରିଜରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଅନ୍ୟ ଯୁବ ଖେଳାଳିଙ୍କ ମଧ୍ୟରେ ରାହୁଲ ଚହର, ଦୀପକ ଚହର ଓ ଚେତନ ସକାରିୟାଙ୍କୁ ମଧ୍ୟ ସ୍ଥାନ ମିଳିବା ସମ୍ଭାବନା ରହିଛି । ସକାରିୟା ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ ଖେଳିବା ସହ ପ୍ରଭାବୀ ପ୍ରଦର୍ଶନ କରିଥିଲେ ।
ଧାୱନ ଓ ଶଙ୍କ ବ୍ୟତୀତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କର୍ଣ୍ଣାଟକ ଓପନର ଦେବଦତ୍ତ ପାଦିକ୍କଲଙ୍କୁ ମଧ୍ୟ ଓପନର ଭାବେ ଦଳରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।
ତେବେ ନେତୃତ୍ବ ଭାର ଦୌଡରେ ଧାୱନ ଆଗରେ ରହିଛନ୍ତି । ଏଯାବତ 35 ବର୍ଷୀୟ ବାମହାତୀ ଓପନର 34ଟି ଟେଷ୍ଟ, 142ଟି ଏକଦିବସୀୟ ଓ 65ଟି ଅନ୍ତର୍ଜାତୀୟ ଟି20 ମ୍ୟାଚ ଖେଳିଛନ୍ତି ।
ଅଧାରୁ ସ୍ଥଗିତ ରହିଥିବା ଆଇପିଏଲ 2021 ସଂସ୍କରଣରେ ମଧ୍ୟ ଧାୱନ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳି 54.38 ହାରରେ 380 ରନ ସହ ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ରହିଥିଲେ । ଶ' ଙ୍କ ସହ ମିଶି ଧାୱନଙ୍କ ଧମାକାଦାର ଓପନିଂ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।
ପୂର୍ବରୁ 2018 ନିଦାହାସ ଟ୍ରଫିରେ ବିସିସିଆଇ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା । ରୋହିତ ଶର୍ମାଙ୍କ ନେତୃତ୍ବରେ ବିଜେତା ହୋଇଥିଲା ଭାରତ ଓ ଧାୱନ ଉପ-ଅଧିନାୟକ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ