ହାଇଦ୍ରାବାଦ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂତନ ଚୟନ କମିଟି ପାଇଁ କରାଯିବ ସାକ୍ଷାତକାର । ଏନେଇ ଆସନ୍ତାକାଲି(ସୋମବାର) ତଥା ଡିସେମ୍ବର ୨୬ ତାରିଖରେ ସାକ୍ଷାତକାର ନିଆଯିବ ବୋଲି BCCI ସୂଚନା ଦେଇଛି । ସେପଟେ ଜାନୁଆରୀରେ ଶ୍ରୀଲଙ୍କା ସହିତ ହେବାକୁ ଥିବା ସିରିଜ ନେଇ ପୂର୍ବତନ ଚୟନ କମିଟି ତଥା ଚେତନ ଶର୍ମାଙ୍କ ଟିମ ଭାରତୀୟ ସ୍କ୍ବାଡ ନିର୍ଦ୍ଧାରଣ କରିବ ।
BCCIର ନୂତନ ଚୟନ କମିଟି ଏପର୍ଯ୍ୟନ୍ତ ଗଠନ ହୋଇ ପାରିନାହିଁ । ତେଣୁ ସସ୍ପେଣ୍ଡ ହୋଇଥିବା ପୂର୍ବତନ ଚୟନ କମିଟି ତଥା ଚେତନ ଶର୍ମାଙ୍କ ଟିମ୍ ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ସ୍କ୍ବାଡ ଚୟନ କରିବ । ଜାନୁଆରୀ ୩ ତାରିଖରୁ ଘରୋଇ ମାଟିରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ସିରିଜ ଖେଳିବ । ପ୍ରଥମେ ତିନି ଟିକିଆ ଟି୨୦ ସିରିଜ ଖେଳିବ । ଜାନୁଆରୀ ୧୦ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ତିନି ଟିକିଆ ଦିନିକିଆ ସିରିଜ ଖେଳିବ ଭାରତ । ଏଥିପାଇଁ ବରଖାସ୍ତ ହୋଇଥିବା ଚେତନ ଶର୍ମାଙ୍କ ଚୟନ କମିଟି ଭାରତୀୟ ସ୍କ୍ବାଡ ଚୟନ କରିବେ ।
ଚେତନ ଶର୍ମାଙ୍କ ଟିମକୁ ବିସିସିଆଇ ବିଦା କରିବା ପରେ ନୂତନ ଚୟନ କମିଟି ଗଠନ କରିବା ନେଇ ନୋଟିସ ଜାରି କରିଥିଲା । ଏନେଇ ଡିସେମ୍ବର ୨୬ ରୁ ଡିସେମ୍ବର ୨୮ ତାରିଖ ମଧ୍ୟ ସାକ୍ଷାତକାର ହେବ । ବିସିସିଆଇର ଏକ ସୂତ୍ର ନିଜ ନା ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, "ପୁରୁଣା ଚୟନ କମିଟି ପ୍ରାୟ ଜାନୁଆରୀରେ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଦଳ ନିର୍ଦ୍ଧାରଣ କରିବ । ଅଧିନାୟକ ରୋହିତ ଶର୍ମା ଜାନୁଆରୀ ମାସ ସୁଦ୍ଧା ଫିଟ୍ ହୋଇ ପାରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେଣୁ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଭାର ସମ୍ଭାଳିପାରନ୍ତି ।"
ଶ୍ରୀଲଙ୍କା ବିପକ୍ଷ ସିରିଜରେ ପ୍ରାୟ ଯୁବ କ୍ରିକେଟରମାନଙ୍କୁ ସୁଯୋଗ ଦିଆଯାଇପାରେ । ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଟି୨୦ ସିରିଜରେ ବିଶ୍ରାମ ମିଳିପାରେ । ସେପଟେ ସେ ଆହୁରି ମଧ୍ୟ କହିଛନ୍ତି " ଚେତନ ଶର୍ମାଙ୍କ ଚୟନ କମିଟି ଏବେ ଘରୋଇ କ୍ରିକେଟ ତଦାରଖ କରୁଛନ୍ତି । ବିଜୟ ହଜାରେ ଟ୍ରଫି ଓ ରଣଜୀ ଟ୍ରଫିର କିଛି ମ୍ୟାଚ ମଧ୍ୟ ତାଙ୍କ ତଦାରଖରେ ହୋଇଥିଲା । ଚେତନ ଶର୍ମା ଓ ତାଙ୍କ ସାଥି ହରବିନ୍ଦର ସିଂହ ନୂତନ ଚନୟ କମିଟି ବିଜ୍ଞପ୍ତିରେ ପୁଣି ଥରେ ଆବେଦନ କରିଛନ୍ତି । ତାଙ୍କ ବ୍ୟତୀତ ଭେଙ୍କଟେଶ ପ୍ରସାଦ, ନୟନ ମୋଙ୍ଗିଆ, ମନିନ୍ଦର ସିଂହ, ଅତୁଲ ୱାସନ, ନିଖିଲ ଚୋପ୍ରା, ଅମୟ ସୁରଖିଆ, ଜ୍ଞାନେନ୍ଦ୍ର ପାଣ୍ଡେ ଏବଂ ମୁକୁନ୍ଦ କୁମାର ନୂତନ ଚୟନ କମିଟି ନେଇ ଆବେଦନ କରିଛନ୍ତି ।