ରାଉରକେଲା: ରାଜ୍ୟ ପାଇଁ ଗର୍ଵ ଗୌରବ ଆଣିଲେ ରାଉରକେଲା ଝିଅ । ନ୍ୟାସନାଲ କ୍ରିକେଟ ଏକାଡେମୀ ପାଇଁ ମନୋନୀତ ହୋଇଛନ୍ତି ସୁନ୍ଦରଗଡ ଝିଅ ଦିବ୍ୟା ରାଉତରାୟ । ଆଗାମୀ ଦିନରେ ଭାରତୀୟ ମହିଳା କ୍ରିକେଟ ଦଳ ଏବଂ ମହିଳା IPL ଖେଳିବାକୁ ସ୍ବପ୍ନ ଦେଖିଛନ୍ତି ଦିବ୍ୟା । ଭାରତୀୟ ମହିଳା କ୍ରିକେଟ ଦଳ ସିଲେକ୍ଟରଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ଦିବ୍ୟା । ଜିଲ୍ଲାରେ କ୍ରିକେଟ ଇତିହାସରେ ପ୍ରଥମ ଝିଅ ଭାବରେ ନ୍ୟାସନାଲ କ୍ରିକେଟ ଏକାଡେମୀ ପାଇଁ ମନୋନୀତ । ଏବେ ଚର୍ଚ୍ଚାରେ ଦିବ୍ୟା ରାଉତରାୟ ।
ରାଉରକେଲା ସିଭିଲ ଟାଉନସିପ ଅଞ୍ଚଳର ବାସିନ୍ଦା ଦୀପକ କୁମାର ରାଉତରାୟ ଏବଂ ବିଜୟଲକ୍ଷ୍ମୀ ରାଉତରାୟଙ୍କ ଏକମାତ୍ର ଝିଅ ଦିବ୍ୟା ରାଉତରାୟ । ଜଣେ କ୍ରିକେଟର ଭାବେ ପରିଚୟ ହାସଲ କରିଛନ୍ତି ଦିବ୍ୟା । ପିଲାଟି ଦିନରୁ କ୍ରିକେଟ ଖେଳରେ ଦିବ୍ୟାଙ୍କ ରୁଚି ରହିଥିଲା । ମଧ୍ୟବିତ ପରିବାରର ଦିବ୍ୟା ସ୍ବପ୍ନକୁ ପୁରା କରିବା ଟିକେ କଷ୍ଟ ଥିଲା କିନ୍ତୁ ଖେଳ ପ୍ରତି ବାପା ଓ ମାଆ ଦିବ୍ୟାଙ୍କ ରୁଚି ଦେଖି ତାଙ୍କୁ ରାଉରକେଲା ସହରର ପ୍ରଗତି ସ୍ପୋର୍ଟିଂ କ୍ଲବରେ ଭର୍ତ୍ତି କରିଥିଲେ । ମାତ୍ର ଦେଢ଼ ବର୍ଷର କୋଚିଂ ସମୟରେ ନିଜ ଖେଳର ଜଲୱା ଦେଖାଇ ପ୍ରଥମେ ଜିଲ୍ଲା ସ୍ତରୀୟ ମହିଳା କ୍ରିକେଟରେ ଉଚ୍ଚ ଧରଣର ଖେଳ ପ୍ରଦର୍ଶନ କରି ଓଡିଶା ଅଣ୍ଡର 19 ମହିଳା ଦଳରେ ଖେଳିବା ପାଇଁ ମନୋନୀତ ହୋଇଥିଲେ । ଓଡିଶା ଦଳ ପାଇଁ ଉଚ୍ଚମାନର କ୍ରିକେଟ ଖେଳ ପ୍ରଦର୍ଶନ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ ସମ୍ପୂର୍ଣ୍ଣ ଜିଲ୍ଲା ପାଇଁ ଗୌରବ ଆଣିଥିଲେ ।
ଦିବ୍ୟା ହେଉଛନ୍ତି ଜଣେ ବ୍ୟାଟର । ଏହା ସହି ୱିକେଟକିଙ୍ଗରେ ମଧ୍ୟ ଦକ୍ଷତା ରହିଛି । ବ୍ୟାଟିଂ ଏବଂ କିପିଙ୍ଗ ଟେକନିକରେ ଓଡିଶା ଦଳ ଏଥର ଭଲ ପ୍ରଦର୍ଶନ କରିବା ସହ ବିଜୟୀ ମଧ୍ୟ ହୋଇଥିଲା । ରାଉରକେଲାର ଝିଅ ବର୍ତ୍ତମାନ ଭାରତୀୟ ମହିଳା ଦଳର ସିଲେକ୍ଟରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ଦେଖିଲେ ଦର୍ଶକଙ୍କ ଆଖି ଲାଖି ଯାଉଛି । ତେବେ ନ୍ୟାସନାଲ କ୍ରିକେଟ ଏକାଡେମୀ (NCA)ରେ ଦିବ୍ୟାଙ୍କ ସିଲେକ୍ସନ ହୋଇଛି । ଯାହାକୁ ନେଇ ତାଙ୍କର କ୍ଲବ ସହ ଓଡିଶା କ୍ରିକେଟ ଆସୋସିଏସନ ତରଫରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଥମ ଥର ପାଇଁ କ୍ରିକେଟ କ୍ରୀଡା ଇତିହାସରେ ଜିଲ୍ଲାର ପ୍ରଥମ ଝିଅ ଭାବରେ ନ୍ୟାସନାଲ କ୍ରିକେଟ ଏକାଡେମୀ (NCA) ପାଇଁ ମନୋନୀତ ହୋଇଛନ୍ତି ଦିବ୍ୟା ରାଉତରାୟ । ତେବେ ଆଗମୀ ଦିନରେ ମହିଳା ଅଣ୍ଡର ୧୯ ଇଣ୍ଡିଆ, ସିନିୟର ଇଣ୍ଡିଆ ଏବଂ ମହିଳା ଆଇପିଏଲ ଖେଳିବା ନେଇ ଆଶା କରିଛନ୍ତି ଦିବ୍ୟା । ଦିବ୍ୟାଙ୍କ ସଫଳତା ପଛରେ ତାଙ୍କର କୋଚ ପ୍ରଶାନ୍ତ କାୟସ୍ଥ ଏବଂ ବାପା ଓ ମାଆଙ୍କୁ ଶ୍ରେୟ ଦେଇଛନ୍ତି ।
ଇଟିଭି ଭାରତ, ସୁନ୍ଦରଗଡ