ହାଇଦ୍ରାବାଦ: 2023 ଆଇପିଏଲ ସିଜିନରେ ଦେଖିବାକୁ ମିଳିବନି ଋଷଭ ପନ୍ତଙ୍କ ସୁପର ବ୍ୟାଟିଂ ସୋ । ଦୀଲ୍ଲି କ୍ୟାପିଟାଲ୍ସର ଏହି ଅଧିନାୟକ ଆଗାମୀ ଆଇପିଏଲରୁ ବାଦ ପଡିଛନ୍ତି । ଏନେଇ ଦିଲ୍ଲୀ କ୍ୟାପିଟାଲ୍ସର ଡିରେକ୍ଟର ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି । ୨୦୨୨ ଡିସେମ୍ବର ୩୦ ତାରିଖରେ ପନ୍ତଙ୍କର ଦୁର୍ଘଟଣା ଘଟିଥିଲା । ଏବେ ସେ ମୁମ୍ବାଇ କୋକିଲାବେନ ଧୀରୁଭାଇ ଅମ୍ବାନୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଲିଗାମେଣ୍ଟ ଅସ୍ତ୍ରୋପଚାର ସଫଳ ହୋଇଛି । ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ପ୍ରାୟ ୬ ମାସ ଲାଗିପାରେ । ତେବେ ଚଳିତ ଥର ଦିଲ୍ଲୀ କ୍ୟାପିଟାଲ୍ସରେ ଅଧିନାୟକ ଋଷଭ ପନ୍ତ ଅନୁପସ୍ଥିତି ଥିବା ବେଳେ ଫ୍ରାଞ୍ଚାଇଜ୍ ନୂଆ କ୍ୟାପଟେନ ଖୋଜୁଛି ।
ଦିଲ୍ଲୀ କ୍ୟାପିଟାଲ୍ସର ଡିରେକ୍ଟର ଅଫ କ୍ରିକେଟ ସୌରଭ ଗାଙ୍ଗୁଲି କୋଲକାତାରେ ଗଣମାଧ୍ୟମକୁ କହିଛନ୍ତି, ଋଷଭ ପନ୍ତ IPL ୨୦୨୩ ସିଜିନ ଖେଳିବେ ନାହିଁ । ତାଙ୍କର ଅନୁପସ୍ଥିତି DC ଟିମକୁ ପ୍ରଭାବିତ କରିବ ।" BCCI ଅଧ୍ୟକ୍ଷ ପଦରୁ ହଟିବା ପରେ ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ଡିରେକ୍ଟର ଅଫ କ୍ରିକେଟ ଦାୟିତ୍ବରେ ରହିଛନ୍ତି । ସେପଟେ ଅଧିନାୟକ DC ଟିମର ଅଧିନାୟକ ଦାୟିତ୍ବରେ କିଏ ରହିବ ସାମ୍ବାଦିକଙ୍କର ଏହି ପ୍ରଶ୍ନରେ ଉତ୍ତର ଦେଇ ଗାଙ୍ଗୁଲି କହିଛନ୍ତି ଏବାବଦରେ କୌଣସି ଆଲୋଚନା ହୋଇନାହିଁ । ଡେଭିଡ ୱାର୍ଣ୍ଣରଙ୍କ ନାମ ନେବାରୁ ସେ କହିଥିଲେ ଯେ ୨୦୨୩ ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ କିଏ ଧରିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।
ସେପଟେ ଶେଷ ହୋଇଛି ଆଇପିଏଲ ୨୦୨୩ ପାଇଁ ମିନି ଅକ୍ସନ । କେଉଁ ତାରିଖରେ ଉଦଘାଟନୀ ମ୍ୟାଚ ଏବଂ କେଉଁ ତାରିଖରେ ଉଦଯାପନୀ ମ୍ୟାଚ ଖେଳାଯିବ ସେନେଇ ଏଯାଏଁ କୌଣସି ଘୋଷଣା କରାଯାଇନାହିଁ । ତେବେ ଅନୁମାନ କରାଯାଉଛି ଏଥର ଆଇପିଏଲ ମ୍ୟାଚ ଏପ୍ରିଲ ପହିଲାରୁ ଖେଳାଯିବ ।
ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସିବା ବେଳେ ଦୁର୍ଘଟଣାର ଶିକାର- 30 ଡିସେମ୍ବର 2022 । ସମୟ ପାଖାପାଖି ସକାଳ 9 । ଅଚାନକ ଖବର ପ୍ରସାରିତ ହୋଇଥିଲା କି ଭାରତୀୟ କ୍ରିକେଟ ଋଷଭ ପନ୍ତଙ୍କର କାର ଦୁର୍ଘଟଣା ହୋଇଛି । ପନ୍ତ ନିଜେ କାର ଡ୍ରାଇଭ କରି ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସୁଥିଲେ । ଉତ୍ତରାଖଣ୍ଡ ରୁରକୀଠାରେ ତାଙ୍କର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ଦୁର୍ଘଟଣା ଘଟିବାର 6 ମିନିଟ ମଧ୍ୟରେ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଗାଡିରେ ନିଆଁ ଲାଗିବା ପୂର୍ବରୁ ପନ୍ତ କାର କାଚ ଭାଙ୍ଗି ଗାଡିରୁ ଡେଇଁ ପଡିଥିଲେ । ପ୍ରାଥମିକ ତଦନ୍ତ ଅନୁଯାୟୀ ଡ୍ରାଇଭ କରିବା ସମୟରେ ଆଖି ଲାଗିଯିବାରୁ ପନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ପରବର୍ତ୍ତୀ ସମୟରେ ରାସ୍ତା ଉପରେ ଥିବା ଏକ ଖାଲରେ ଗାଡ଼ି ଚକା ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ପନ୍ତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ କହିଥିଲେ ।