ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀ ଓ ଖେଳାଳିଙ୍କ ପାଇଁ ଖୁସି ଖବର । ରଣଜୀ ଟ୍ରଫି ସମେତ କୋଭିଡ-19 ମହାମାରୀ କାରଣରୁ ଗତ ସଂସ୍କରଣ ବାତିଲ ହୋଇଥିବା ଭାରତୀୟ ପୁରୁଷ ଘରୋଇ କ୍ରିକେଟ ସିଜିନ ଅକ୍ଟୋବର 20ରୁ ଆରମ୍ଭ ହେବ ଓ 26 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଚାଲିବ । ରଣଜୀ ଟ୍ରଫି ପାଇଁ 3 ମାସର ସମୟ ଅବଧି ସ୍ଥିର ହୋଇଛି । 16 ନଭେମ୍ବର 2021ରୁ 19 ଫେବ୍ରୁଆରୀ 2022 ପର୍ଯ୍ୟନ୍ତ ଏହି ମେଗା ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଶନିବାର ଏନେଇ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ।
ସେହିପରି ସୟଦ ମୁସ୍ତାକ ଅଲି ଟ୍ରଫି 20 ଅକ୍ଟୋବର 2021ରୁ ଆରମ୍ଭ ହେବ ଓ ଫାଇନାଲ ମ୍ୟାଚ 2021 ନଭେମ୍ବର 12ରେ ଖେଳାଯିବା ନେଇ ସ୍ପଷ୍ଟ କରିଛି ବିସିସିଆଇ ।
ଅକ୍ଟୋବର 15ରେ ଇଣ୍ଡିଆନ ପ୍ରିମିୟର ଲିଗର 2021 ସଂସ୍କରଣର ଅବଶିଷ୍ଟ ମ୍ୟାଚ ଶେଷ ହେବ । ଏହାର 5 ଦିନ ପରେ ନ୍ୟାସନାଲ ଟି20 ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲି ଟ୍ରଫି ଆରମ୍ଭ ହେବ ।
କୋଭିଡ-19 ମହାମାରୀର ଭୟାବହତା ଯୋଗୁଁ ରଣଜୀ ଟ୍ରଫିର ଗତ ସଂସ୍କରଣ ବାତିଲ ହୋଇଥିଲା । ଏବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ନଭେମ୍ବର 16, 2021ରୁ ଫେବ୍ରୁଆରୀ 19, 2022 ପର୍ଯ୍ୟନ୍ତ ଖେଳାଯିବ।
ବିଜୟ ହଜାରେ ଟ୍ରଫି 23 ଫେବ୍ରୁଆରୀ 2022ରୁ ମାର୍ଚ୍ଚ 26, 2022 ପର୍ଯ୍ୟନ୍ତ ଖେଳାଯିବ । ଏହି ସିଜିନରେ ବିଭିନ୍ନ ବୟସ ବର୍ଗରେ ଓ ଉଭୟ ପୁରୁଷ ଓ ମହିଳା ବର୍ଗରେ ମୋଟ 2,127ଟି ଘରୋଇ ମ୍ୟାଚ ଖେଳାଯିବ ।
ମହିଳା ଟୁର୍ଣ୍ଣାମେଣ୍ଟରୁ ଘରୋଇ କ୍ରିକେଟ ସିଜିନର ଆରମ୍ଭ ହେବ । ସେପ୍ଟେମ୍ବର 21, 2021ରୁ ସିନିୟର ମହିଳା ଏକଦିବସୀୟ ଲିଗ୍ ସହିତ ଘରୋଇ ସିଜିନ ଆରମ୍ଭ ହେବ । ପରେ ସିନିୟର ମହିଳା ଏକଦିବସୀୟ ଚ୍ୟାଲେଞ୍ଜର ଟ୍ରଫି ଅକ୍ଟୋବର 27, 2021ରୁ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ