ମୁମ୍ବାଇ: ଟିମ୍ ଇଣ୍ଡିଆ ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ । ବିସିସିଆଇର ପରମର୍ଶଦାତା କମିଟି ରାହୁଲଙ୍କୁ ଏହି ଦାୟିତ୍ବ ନ୍ୟସ୍ତ କରିଛି । ଟି-୨୦ ବିଶ୍ବକପ୍ ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ । ଏହି ଗସ୍ତରେ ରାହୁଲ ଦ୍ରାବିଦ ମୁଖ୍ୟ କୋଚ୍ ଭାବରେ ଭାର ଗ୍ରହଣ କରିବେ । ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ଖୁସି ଜାହିର କରିଛନ୍ତି ରାହୁଲ ଦ୍ରାବିଡ ।
ସେ କହିଛନ୍ତି ଯେ, "ଭାରତୀୟ ଦଳର ମୁଖ୍ୟ କୋଚ୍ ନିଯୁକ୍ତ ହେବ ଏକ ଗର୍ବର ବିଷୟ । ଏହି ଗୁରୁ ଦାୟିତ୍ବକୁ ନେଇ ମୁଁ ଉତ୍ସାହିତ ରହିଛି । ରବି ଶାସ୍ତ୍ରୀଙ୍କ ନେତୃତ୍ବରେ ଦଳ ଅନେକ କୀର୍ତ୍ତିମାନ କରିଛି । ଏଥିରେ ସନ୍ଦେହ ନାହିଁ । ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ମୋର ଆଶା ଓ ବିଶ୍ବାସ ରହିଛି । ବର୍ତ୍ତମାନ ଦଳରେ ସାମିଲ ଥିବା ଅଧିକାଂଶ ଖେଳାଳିଙ୍କ ସହ ଜାତୀୟ କ୍ରିକେଟ ଏକାଡେମୀରେ କାମ କରିଛି । ସେ ୧୯ ବର୍ଷରୁ କମ୍ ଭାରତୀୟ ଦଳ ହେଉ ବା ଭାରତ -ଏ ଦଳ । କୌଣସି ନା କୌଣସି ମତେ ଏହି ଖେଳାଳିଙ୍କ ସହ ମୁଁ ସଂସ୍ପର୍ଶରେ ଆସିଛି ।"
ଦ୍ରାବିଡ ଜାଣିଛନ୍ତି ଯେ ଦଳରେ ସାମିଲ ଥିବା ଅଧିକାଂଶ ଖେଳାଳି ନିଜ ପ୍ରଦର୍ଶନକୁ ନେଇ କେତେ ଗମ୍ଭୀର । ଆଗାମୀ ଭାରତୀୟ ଦଳ ଆହୁରି କିଭଳି ନିଜକୁ ମାର୍ଜିତ କରି ପାରିବ ସେ ଦିଗରେ ଧ୍ୟାନ ଦିଆଯିବ । ଏଥିପାଇଁ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ସହୟତା ନିତାନ୍ତ ଆବଶ୍ୟକ ହେବ ।
ଚଳିତ ଟି-୨୦ ବିଶ୍ବକପ ପରେ ବର୍ତ୍ତମାନ ମୁଖ୍ୟ କୋଚ୍ ଦାୟିତ୍ବରେ ଥିବା ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାପରେ ରାହୁଲ ତାଙ୍କ ସ୍ଥାନ ନେବେ ।
@ani