ମୁମ୍ବାଇ: ଗୋଆ ଛୁଟି କାଟିବାକୁ ଗଲାବେଳେ ହଟହଟା ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ' । ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ଉପର ମୁହାଁ ରହିଛି । ଏଭଳିସ୍ଥିତିରେ ରାଜ୍ୟରେ ଲକଡାଉନ ଘୋଷଣା ହୋଇଛି । ବାହାର ରାଜ୍ୟ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଯିବାକୁ ହେଲେ ଇ-ପାସକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଗୋଆ ଯିବା ସମୟରେ ପୃଥ୍ବୀ ଶ'ଙ୍କ ପାଖରେ ଇ-ପାସ ନଥିବାରୁ ତାଙ୍କୁ ଅଧାବାଟରେ ପୋଲିସ ଅଟକାଇ ଥିଲା ।
ମହାରାଷ୍ଟ୍ରର ସିନ୍ଧୁଦୂର୍ଗ ଜିଲ୍ଲାରେ ପୃଥ୍ବୀ ଶ'ଙ୍କୁ ଅଟକାଇ ଥିଲା ପୋଲିସ । ଗୋଆ ଯିବା ପାଇଁ ତାଙ୍କ ପାଖରେ ଇ-ପାସ ନଥିବାରୁ ପୋଲିସ ତାଙ୍କୁ ଅଟକାଇ ଥିଲା । ଇ-ପାସ ପାଇଁ ସେ ଆବେଦନ କରିଥିଲେ । କିନ୍ତୁ ଆବେଦନ ଗ୍ରହଣ ହେବାପୂର୍ବରୁ ସେ ଗୋଆ ଯିବାକୁ ବାହାରି ପଡ଼ିଥିଲେ । ସେଠାରେ ପୋଲିସ ତାଙ୍କୁ ପୁନଃ ଇ-ପାସ ଆବେଦନ କରିବାକୁ କହିଥିଲେ । ଏକ ଘଣ୍ଟା ଅପେକ୍ଷା କରିବା ପରେ ପୃଥ୍ବୀ ଶ'ଙ୍କୁ ଇ-ପାସ ମିଳିଥିଲା । ଏହାପରେ ପୋଲିସ ତାଙ୍କୁ ମହାରାଷ୍ଟ୍ର ବାହାରକୁ ଯିବାକୁ ଅନୁମତି ଦେଇଥିଲା।
ବୁଧବାର ସିନ୍ଧୁଦୂର୍ଗ ଜିଲ୍ଲାର ଅମ୍ବୋଲୀରେ ଏହି ଘଟଣା ଘଟିଥିଲା । ଏହାକୁ ନେଇ ଅମ୍ବୋଲୀ ପୋଲିସ ଶୁକ୍ରବାର ସୂଚନା ଦେବାପରେ ଘଟଣା ପଦାକୁ ଆସିଥିଲା। ଆଇପିଏଲ ସ୍ଥଗିତ ହେବା ପରେ ସମସ୍ତ ଖେଳାଳି ଘରକୁ ଫେରି ଯାଇଥିଲେ । ଏହାପରେ ପୃଥ୍ବୀ ଶ' ଛୁଟି କାଟିବାକୁ ଗୋଆ ଯାଉଥିଲେ ।
ଅମ୍ବୋଲୀ ପୋଲିସ ଅଧିକାରୀଙ୍କ ମୁତାବକ ପୃଥ୍ବୀ ଶ'ଙ୍କ ପାଖରେ ଇ-ପାସ ପାଇଁ ଆବେଦନ କରିଥିବା ଟୋକେନ ରହିଥିଲା । ଏହି ଟୋକେନରେ ତାଙ୍କୁ ଗୋଆ ଯିବାକୁ ଅନୁମତି ଦିଆଯାଇ ପାରିନଥାନ୍ତା । ମହାରାଷ୍ଟ୍ରରେ କୋରୋନା ସଂକ୍ରମଣକୁ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ନେଉଛି ପ୍ରଶାସନ । ଏଥିରେ ସାମିଲ ଇ-ପାସ ଭଳି ବ୍ୟବସ୍ଥା ମଧ୍ୟ ସାମିଲ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ