କଟକ: ଆସନ୍ତା 12 ତାରିଖରୁ 19 ବର୍ଷରୁ କମ ଦିନିକିଆ କ୍ରିକେଟ ଭିନୁ ମଙ୍କଡ ଟ୍ରଫି ଆରମ୍ଭ ହେବ । ଏହା ପୂର୍ବରୁ ଓଡିଶା ଦଳ ଘୋଷଣା ହୋଇଛି । ଓସିଏ ପକ୍ଷରୁ 16 ଜଣିଆ ସ୍କ୍ବାର୍ଡ ଘୋଷଣା କରାଯାଇଛି । ଆଶୀର୍ବାଦ ସ୍ୱାଇଁ ଦଳର କ୍ୟାପଟେନ ଭାର ସମ୍ଭାଳି ଥିବାବେଳେ ଟିମରେ ଉଭୟ ବ୍ୟାଟିଂ ବୋଲିଂ ଦିଗ ବେଶ ମଜଭୁତ ରହିଛି । ଚଳିତ ସିଜିନ ପାଇଁ ଦଳରେ ଅନେକ ନୂଆ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି ।
ଆସନ୍ତା 12 ତାରିଖରୁ ପଣ୍ଡିଚେରୀରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସହ ଛତିଶଗଡ଼, ଅରୁଣାଚଳ ପ୍ରଦେଶ, ସୌରାଷ୍ଟ୍ର, ରାଜସ୍ଥାନ, ଗୋଆ ଆଦି ଦଳ ମ୍ୟାଚ ଖେଳିବ । ତେବେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓସିଏ । 19 ବର୍ଷରୁ କମ କ୍ରିକେଟରେ ଭଲ ଖେଳାଳି ଚୟନ କରିବା ଓସିଏ ପାଇଁ ଏକ ବଡ଼ ଲକ୍ଷ୍ୟ । କାହିଁକି ନା ଏହି ଫାର୍ମାଟରୁ ଓଡ଼ିଶାର ଭବିଷ୍ୟ ଗଢ଼ା ହୋଇଥାଏ । ବିସିସିଆଇର ବଡ ବଡ ପ୍ରତିଯୋଗୀତା ପାଇଁ ଏହି 19 ବର୍ଷରୁ କମ ଟୁର୍ଣ୍ଣାମେଣ୍ଟରୁ ହିଁ ଜଣେ ସଫଳ କ୍ରିକେଟର ଗଢ଼ା ହୋଇଥାଏ । ତେବେ ଏହାକୁ ନଜରରେ ରଖି ଓସିଏ ଏହି ମଜଭୁତ ଟିମ ଗଠନ କରିଛି ।
ଏହା ମଧ୍ୟ ପଢନ୍ତୁ-Asian Games 2023: ଏସିଆ ଗେମ୍ସରେ ଭାରତର ପଦକ ସଂଖ୍ୟା 100 ଛୁଇଁଲା, ମହିଳା କବାଡିରେ ସ୍ବର୍ଣ୍ଣ
ଭିନୁ ମଙ୍କଡ ଟ୍ରଫିର ପ୍ରଥମ ମ୍ୟାଚ ଖେଳିବ ଓଡିଶା । ଚଳିତ ବର୍ଷ ଘରୋଇ ସିଜିନ ପାଇଁ ଏକ ପ୍ରକାର ପ୍ରସ୍ତୁତି ଜୋରଦାର କରିଛି ଓଡିଶା କ୍ରିକେଟ ସଂଘ । କ୍ୟାମ୍ପ ଅଭ୍ୟାସ, ଏହାସହ ପଡୋଶୀ ରାଜ୍ୟମାନଙ୍କ ସହ ମ୍ୟାଚ ଖେଳିବା ଓଡିଶାର ଆଶାକୁ ଦ୍ବିଗୁଣିତ କରିଛି । ତେବେ ଆଗାମୀ ଭିନୁ ମଙ୍କଡ଼ ଟ୍ରଫିରେ ଓଡ଼ିଶା ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓଡ଼ିଶା କ୍ରିକେଟ ସଂଘ । ଅନ୍ୟପଟେ ଭିଜନ 2024କୁ ନେଇ ତୃଣମୂଳ ସ୍ତରରେ ଏକାଡେମୀ ସ୍ଥାପନ ସହ କମ ବୟସର କ୍ରିକେଟର ମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବା ଆରମ୍ଭ କରିଛି ଓସିଏ ।
ଓସିଏ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ କରି ଭିନୁ ମଙ୍କଡ ଟ୍ରଫି ପାଇଁ ଓଡିଶା ଦଳର ସ୍କ୍ବାର୍ଡ ଘୋଷଣା କରାଯାଇଥିଲା । ଜୁନିୟର ସିଲେକ୍ସନ କମିଟି ମୁଖ୍ୟ ପ୍ରଭଞ୍ଜନ ମଲିକ ଓ 19 ବର୍ଷରୁ କମ ବାଳକ ଦଳର ମୁଖ୍ୟ କୋଚ ନଟରାଜ ବେହେରା ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ ।
ଓଡିଶା ଦଳ: ଆଶୀର୍ବାଦ ସ୍ବାଇଁ (ଅଧିନାୟକ), ଗୌରବ କୁମ୍ଭାର, ପାନକଳ ସନକା, ଶ୍ରେୟାଂଶ ଭରଦ୍ବାଜ, କରନ ମହାପାତ୍ର, ଦେବାଶିଷ ବାଘ, ଏମଜି ଗୋପାଳ, ବିଶାଲ ପ୍ରିୟଦର୍ଶୀ, ସମ୍ବିତ ବେଜ, ସ୍ବରୂପ ଭୂୟାଁ, ସୟଦ ଟି. ଅହମ୍ମଦ, କିଶୋର ଛେତ୍ରି, ରୋହିତ କୁମାର, ଶୁଭମ ପ୍ରିୟଦର୍ଶୀ, ଶ୍ରୀରାଜ ପଟ୍ଟନାୟକ ଓ ସୌଭାଗ୍ୟ ଓଝା ।
ଇଟିଭି ଭାରତ, କଟକ