ମୁମ୍ବାଇ: ଫଟାଫଟ ଆଇପିଏଲ କ୍ରିକେଟ ମ୍ୟାଚ ଜାରି ରହିଛି। ଆଜି ଅନୁଷ୍ଠିତ ହେବାକୁ ଥିବା 22ତମ ଲିଗ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଏ ଯାଏଁ ଗୋଟିଏ ବି ମ୍ୟାଚ ଜିତି ନଥିବା ଚେନ୍ନାଇ ପ୍ରଥମ ବିଜୟ ଲକ୍ଷ୍ୟରେ ଥିବାବେଳେ ବାଙ୍ଗାଲୋର ଚତୁର୍ଥ ବିଜୟ ସହ ପଏଣ୍ଟ ତାଲିକା ଶୀର୍ଷକୁ ଉଠିବାକୁ ଲକ୍ଷ୍ୟ ରଖିଛି । ଆଜିର ମ୍ୟାଚ ଜିତିବା ସୁପରକିଙ୍ଗସ ପାଇଁ ନିହାତି ଆବଶ୍ୟକ । ଦଳ ପାଇଁ ଆଜି ମ୍ୟାର କର ବା ମର ସ୍ଥିତି ସଦୃଶ ହେବ ।
2010 ସଂସ୍କରଣରେ ଚେନ୍ନାଇ ପ୍ରଥମ 4ଟି ମ୍ୟାଚରେ ହାରିଥିଲା । ପରେ କମବ୍ୟାକ କରି ଚମ୍ପିଅନ ହୋଇଥିଲା । ଏଥର ବି ଦଳ ସମାନ ସ୍ଥିତିରେ ପହଞ୍ଚିଛି । ଆଉ ଗୋଟିଏ ପରାଜୟ ଦଳର ଅଭିଯାନ ଶେଷ କରିଦେବାର ଆଶଙ୍କା ରହିଛି । ଗତ ସିଜିନରେ ଡୁ ପ୍ଲେସି ଚେନ୍ନାଇକୁ ବିଜୟୀ କରାଇଥିଲେ । ଏଥରେ ସେ ବାଙ୍ଗାଲୋର ଅଧିନାୟକ ଅଛନ୍ତି । ଲାଗୁଛି ଚେନ୍ନାଇ ତାଙ୍କ ଅନୁଉପସ୍ଥିତି ଅନୁଭବ କରୁଛି । ଯାହା ବି ହେଲେ ଆଜିର ମ୍ୟାଚକୁ ଜିତିବାକୁ ଦଳକୁ ସବୁ ଶକ୍ତି ଖଟାଇବାକୁ ପଡିବ ।
ସେହିପରେ 4ଟି ମ୍ୟାଚରୁ 3ଟିରେ ବିଜୟ ହୋଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫୁଲ ଫର୍ମରେ ରହିଛି । 6 ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି । ୱାନିଣ୍ଠୁ ହସରଙ୍କା ଓ ହର୍ଷଲ ପଟେଲଙ୍କ ଶୃଙ୍ଖଳିତ ବୋଲି ଦଳକୁ ବିଜୟୀ କରିବାରେ ସାହାଯ୍ୟ କରିଛି । ଦଳରେ କୋହଲି, ଡୁ ପ୍ଲେସି ଓ ଦିନେଶ କାର୍ତ୍ତିକଙ୍କ ଭଳି ଷ୍ଟାର ପ୍ଲେୟାର ରହିଛନ୍ତି । ସେମାନଙ୍କ ବ୍ୟାଟରୁ କିଛି ଭଲ ରନ ଆଶା କରୁଛନ୍ତି କ୍ରିକେଟ ପ୍ରେମୀ । ଆଜିର ମ୍ୟାଚକୁ ଜିତି 4ର୍ଥ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷକୁ ଯିବାକୁ ଲକ୍ଷ୍ୟ ରଖିଛି ବାଙ୍ଗାଲୋର ।