ହାଇଦ୍ରାବାଦ: ଜାରି ରହିଛି ଆଇପିଏଲ ୨୦୨୩ ମହାସମର । ଚଳିତ ସଂସ୍କରଣରେ ଅଧିକାଂଶ ମ୍ୟାଚ୍ରେ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳୁଛି । କେବଳ ଆଇପିଏଲ ନୁହେଁ, ଅନ୍ତର୍ଜାତୀୟ ମ୍ୟାଚ୍ରେ ମଧ୍ୟ ନିଜର ସର୍ବଶ୍ରେଷ୍ଠ ଫର୍ମକୁ ଫେରିଛନ୍ତି କିଙ୍ଗ୍ କୋହଲି । କେବଳ ଭାରତ ନୁହେଁ, ବିଶ୍ବର କୋଣ ଅନୁକୋଣରେ କୋହଲିଙ୍କ ସମର୍ଥକ ରହିଛନ୍ତି । ସମସ୍ତେ ମ୍ୟାଚ୍ରେ ନିଜ ପ୍ରିୟ ଖେଳାଳୀଙ୍କୁ ଚିୟର ଅପ୍ କରିବା ପାଇଁ ୧୮ ନମ୍ବର ଜର୍ସି ପିନ୍ଧି ଆସିଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି, ବିରାଟ କୋହଲିଙ୍କ ଜର୍ସି ନମ୍ବର ୧୮ କଣ ପାଇଁ ?
ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ଦମଦାର ଶତକ ହାସଲ କରିଥିଲେ କିଙ୍ଗ କୋହଲି । କୋହଲିଙ୍କ ଶତକ ବଳରେ ହାଇଦ୍ରାବାଦକୁ ୮ ୱିକେଟ୍ରେ ପରାସ୍ତ କରିଥିଲା ଆରସିବି । ତେବେ ଆଇପିଏଲ ହେଉ କି ଅନ୍ତର୍ଜାତୀୟ ମ୍ୟାଚ୍, ବିରାଟଙ୍କ ଜର୍ସି ନମ୍ବରକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ଏହାରି ଭିତରେ ନିଜ ଜର୍ସି ନମ୍ବରକୁ ନେଇ ରାଜ୍ ଖୋଲିଛନ୍ତି ବିରାଟ । ଯେତେବେଳେ ସେ ଅଣ୍ଡର-୧୯ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ, ସେବେଠାରୁ ସେ ଜର୍ସି ନମ୍ବର- ୧୮ ପିନ୍ଧି ଆସୁଛନ୍ତି ।
କାହିଁକି ବିରାଟଙ୍କ ଜର୍ସି ନମ୍ବର ୧୮: ନିକଟରେ ଏକ ସାକ୍ଷାତକାରରେ ବିରାଟ କହିଛନ୍ତି, "ଯେତେବେଳେ ଟିମ୍ ଇଣ୍ଡିଆ ପାଇଁ ଅଣ୍ଡର-୧୯ କ୍ରିକେଟ୍ ମ୍ୟାଚ୍ ଖେଳିବା ଆରମ୍ଭ କଲି, ସେତେବେଳେ ମୋତେ ଏହି ୧୮ ନମ୍ବର ଜର୍ସି ମିଳିଥିଲା । ଏହାକୁ ମୁଁ ମାଗିନଥିଲି । ହେଲେ ସେତେବେଳେ ଜର୍ସି ନମ୍ବର ୧୮ ମୋ ପାଇଁ ଏତେ ଖାସ ନଥିଲା । ପରେ କିନ୍ତୁ ଏହି ଜର୍ସି ନମ୍ବର ମୋ ପାଇଁ ସ୍ବତନ୍ତ୍ର ହୋଇଥିଲା । କାରଣ ଅଗଷ୍ଟ ୧୮ ତାରିଖରେ ମୁଁ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲି । ଡିସେମ୍ବର ୧୮ରେ ମୋ ବାପାଙ୍କ ଦେହାନ୍ତ ହୋଇଥିଲା । ଏହି ମୋ ଜୀବନର ୨ ସ୍ମରଣୀୟ ଦିନ ୧୮ ସହ ଜଡ଼ିତ ।"
ସେ ଆହୁରି କହିଛନ୍ତି, "ମୁଁ ୧୮ ନମ୍ବର ଜର୍ସି ପିନ୍ଧି ଖେଳିବାକୁ ଯାଇଥାଏ । ଅନେକ ଲୋକ ମୋ ନାଁ ସହିତ ୧୮ ନମ୍ବର ଜର୍ସି ପିନ୍ଧି ମ୍ୟାଚ୍ ଦେଖିବାକୁ ଆସିଥାନ୍ତି । ତେଣୁ ଏସବୁ ମୋ ପାଇଁ ବହୁତ ସ୍ବତନ୍ତ୍ର । ମୁଁ କେବେ ଭାବିନଥିଲି, ଏମିତି ସମୟ ଆସିବ, ଏମିତି ଦିନ ଦେଖିବାକୁ ମିଳିବ । ବେଳେବେଳେ ମୁଁ ଭାବେ ମୋତେ ଏତେସବୁ ଭଗବାନ ଦେଇଛନ୍ତି । ଏସବୁ ମୋ ପାଇଁ ଏତେ ସହଜ ନଥିଲା । କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ମୋତେ ସବୁକିଛି ମିଳିଛି।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ