ନୂଆଦିଲ୍ଲୀ: ଆଇପିଏଲ ମ୍ୟାଚ ବେଳେ ବୁକିଙ୍କୁ ସହାୟତା କରୁଥିଲେ ଅରୁଣ ଜେଟଲୀ ଷ୍ଟାଡିୟମର ସଫେଇ କର୍ମଚାରୀ । ଏହାକୁ ନେଇ ବିସିସିଆଇର ଆଣ୍ଟି କରପ୍ସନ ୟୁନିଟର ଅଧିକାରୀ ଶବ୍ବୀର ହୁସେନ ଶେଖଦମ ଜଣେ ଅଭିଯୁକ୍ତର ତଥ୍ୟ ଦିଲ୍ଲୀ ପୋଲିସ ଜିମାରେ ଦେଇଛନ୍ତି । ପିଚ ସିଡିଂ ମାଧ୍ୟମରେ ସଫେଇ କର୍ମଚାରୀ ବୁକିଙ୍କୁ ବେଟିଂରେ ସହାୟତା କରିଥିବା ଆଶଙ୍କା କରାଯାଇଛି । ପିଚ ସଡିଂ ଜରିଆରେ ପ୍ରତ୍ୟେକ ବଲରେ ବେଟିଂ କରିବା ସହଜ ହୋଇଯାଏ । ଏହି ମାମଲାରେ ସଂପୃକ୍ତ ଥିବା ସଫେଇ କର୍ମଚାରୀ ଷ୍ଟାଡିୟମରୁ ଫେରାର ହେବାରେ ସକ୍ଷମ ହୋଇଛି ।
ଏହି ଉପାୟରେ ସଫେଇ କର୍ମଚାରୀ ଜଣକ ପଡ଼ିଆରେ ଲାଇଭ ମ୍ୟାଚ ଦେଖି ବୁକିଙ୍କୁ ମ୍ୟାଚ ସମ୍ପର୍କୀତ ସମସ୍ତ ସୂଚନା ଦେଇଥାନ୍ତି । ଫଳରେ ଟିଭି କିମ୍ବା ୱେବସାଇଟରେ ପ୍ରସାରଣ ପୂର୍ବରୁ ମ୍ୟାଚ ସମ୍ପର୍କିତ ସମସ୍ତ ତଥ୍ୟ ବୁକିଙ୍କୁ ମିଳିଯାଏ । ଯାହା ଫଳରେ ପ୍ରତ୍ୟେକ ବଲରେ ପିଚ୍ ସିଡିଂ ବା କୋର୍ଟ ସିଡିଂ କରିବା ସହଜ ହୋଇପଡ଼େ ।
ଏହାକୁ ନେଇ ବିସିସିଆଇର ଆଣ୍ଟି କରପ୍ସନ ୟୁନିଟର ଅଧିକାରୀ ଶବ୍ବୀର ହୁସେନ ଶେଖଦମ କହିଛନ୍ତି ଯେ, "ଆଣ୍ଟି କରପ୍ସନ ୟୁନିଟର ଜଣେ ଅଧିକାରୀ ସଫେଇ କର୍ମଚାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ତାଙ୍କ ମୋବାଇଲ ଫୋନରୁ ଏହି ସବୁ ତଥ୍ୟ ପଦାକୁ ଆସିଛି । ଏହି ଘଟଣାରେ ଆଉ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି ଦିଲ୍ଲୀ ପୋଲିସ ।"
ଏହି ମାମଲାରେ ଗିରଫ ହୋଇଥିବା ଆଉ ଦୁଇ ଅଭିଯୁକ୍ତ ଏକ ନକଲି ଆକ୍ରିଡିଏସନ କାର୍ଡ ତିଆରି କରି ଅରୁଣ ଡେଟଲୀ ଷ୍ଟାଡିୟମରେ ପ୍ରବେଶ କରିଥିଲେ। ମେ 2 ତାରିଖରେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦୁଇ ଅଭିଯୁକ୍ତ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ । ସେପେଟ ସଫେଇ କର୍ମଚାରୀ ଜଣକ ମେ 2 ତାରିଖରେ ଷ୍ଟାଡିୟମ ଭିତରେ ଲଗାତାର ଜଣଙ୍କ ଫୋନରେ କଥା ହେଉଥିଲେ । ସେହି ସମୟରେ ବିସିସିଆଇର ଆଣ୍ଟି କରପ୍ସନ ୟୁନିଟର ଜଣେ ଅଧିକାରୀଙ୍କୁ ସନ୍ଦେହ ହେବାକୁ ସେ ସଫେଇ କର୍ମଚାରୀଙ୍କ ମୋବାଇଲ ଯାଞ୍ଚ କରିଥିଲେ ।
ମୋବାଇଲ ଯାଞ୍ଚ ବେଳେ ଅଭିଯୁ୍କ୍ତ ଷ୍ଟାଡିୟମ ବାହାରକୁ ଫେରାର ହୋଇ ଯାଇଥିଲା । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଶବ୍ବୀର ହୁସେନ ଶେଖଦମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ