ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ୍କୁ ଘାରିଛି ଆହତ ସମସ୍ୟା ଚିନ୍ତା । ମହେନ୍ଦ୍ର ସିଂ ଧୋନିଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ଯ କୋଚ୍ ଷ୍ଟିଫେନ ଫ୍ଲେମିଂ । ବୁଧବାର ଖେଳାଯାଇଥିବା ରାଜସ୍ଥାନ ବିପକ୍ଷ ମ୍ୟାଚରେ ବ୍ୟାଟିଂ ସମୟରେ ସିଙ୍ଗଲ ରନ୍ ନେଉଥିବା ବେଳେ ତାଙ୍କ ଆଣ୍ଠୁର ଆଘାତ ଲାଗିଛି । ଏହାପରେ ପରେ ସେ ସ୍ବାଭାବିକ ବ୍ୟାଟିଂ କରି ପାରିନଥିବା ବେଳେ ରନ୍ ନେବା ପାଇଁ ସଂଘର୍ଷ କରିଥିବା ନେଇ କହିଛନ୍ତି ଷ୍ଟିଫେନ ଫ୍ଲେମିଂ । ସେପଟେ ଇଣ୍ଡିଜ୍ କ୍ରିକେଟ ସିସାଣ୍ଡ ମାଗଲା ମଧ୍ୟ ଆହତ ହୋଇ ଦୁଇ ସପ୍ତାହ ପାଇଁ ବିଶ୍ରାମ ନେବେ ।
ଗତକାଲି (ବୁଧବାର) ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ରାଜସ୍ଥାନଠାରୁ ୪ ରନ୍ରେ ପରାଜିତ ହୋଇଛି ଚେନ୍ନାଇ । ଏହି ମ୍ୟାଚରେ ଚେନ୍ନାଇକୁ ବିଜୟ ପାଇଁ ଶେଷ ଓଭରରେ ୧୯ ରନ୍ର ଆବଶ୍ୟକତା ରହିଥିଲା । କିନ୍ତୁ ଏହାପୂର୍ବରୁ ଧୋନୀଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଯାହା ଫଲରେ ସଠିକ ଢଙ୍ଗରେ ରନ୍ ନେବାକୁ ସଂଘର୍ଷ କରୁଥିଲେ । ପୂର୍ବରୁ ଅଭ୍ୟାସ ମ୍ୟାଚରେ ମଧ୍ୟ ଆଘାତର ଶିକାର ହୋଇଥିଲେ । ଚେନ୍ନାଇରେ ପ୍ରି-ସିଜନ କ୍ୟାମ୍ପରେ ମଧ୍ୟ ଧୋନିଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ବୋଲି କହିଛନ୍ତି ଷ୍ଟିଫେନ ଫ୍ଲେମିଂ ।
ଏହା ମଧ୍ୟ ପଢନ୍ତୁ-IPL 2023 CSK vs RR: ଚେପକରେ ହାରିଲା ଚେନ୍ନାଇ, 4 ରନରେ ଜିତିଲା ରାଜସ୍ଥାନ
ଏହାକୁ ନେଇ କୋଚ୍ ଷ୍ଟଫେନ ଫ୍ଲେମିଂ କହିଛନ୍ତି, "ଧୋନିଙ୍କ ଆଣ୍ଠୁରେ ଆହତ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ଗତ ମ୍ୟାଚ୍ରେ ତାଙ୍କ ବ୍ୟାଟିଂକୁ ଅନୁଧ୍ୟାନ କଲେ ଆପଣ ଜାଣି ପାରିବେ । ଏହି ସମସ୍ୟା ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏତେ ସବୁ ପରେ ବୁଧବାର ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଛନ୍ତି । ଶାରୀରିକ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ସେ ବିପକ୍ଷ ଦଳର ପ୍ରତିଟି ବଲକୁ ଭଲ ଭାବେ ସାମ୍ନା କରି ସଟ୍ ଖେଳିଛନ୍ତି । ଗତକାଲିର ମ୍ୟାଚରେ ଧୋନି 17ଟି ବଲରୁ 32 ରନ ସଂଗ୍ରହ କରିଥିଲେ । ଯେଉଁଥିରେ 4ଟି ଚୌକା ଓ 3ଟି ଛକା ସାମିଲ ରହିଛି । କିନ୍ତୁ ଏହି ମ୍ୟାଚରେ ରାଜସ୍ଥାନଠାରୁ ପରାଜିତ ହୋଇଛି ଚେନ୍ନାଇ। ବର୍ତ୍ତମାନ ସୁଦ୍ଧା ଚଳିତ ଆଇପିଏଲରେ 4ଟି ମ୍ୟାଚ ଖେଳି 2ଟିରେ ବିଜୟୀ ହୋଇଛି CSK । ସେଥି ମଧ୍ୟରୁ 3ଟି ମ୍ୟାଚରେ ଧୋନି ବ୍ୟାଟିଂ କରି ଏପର୍ଯ୍ୟନ୍ତ ମୋଟ 58 ରନ କରିଛନ୍ତି ।''
ବୁଧବାର ରାଜସ୍ଥାନ ବିପକ୍ଷ ମ୍ୟାଚରେ ଚେନ୍ନାଇ ପକ୍ଷରୁ କନଓ୍ବେ 38 ବଲରୁ 50 ରନ, ଜାଡେଜା 15 ବଲରୁ 25 ରନ ଓ ରାହାଣେ 19 ବଲରୁ 31 ରନ କରିବାକୁ ସକ୍ଷମ ହୋଇଥିଲେ । ଆକାଶ ସିଂହ, ତୁଷାର ଦେଶପାଣ୍ଡେ ଓ ରବିନ୍ଦ୍ର ଜାଡେଜା 2ଟି ଲେଖାଏଁ ୱିକେଟ ନେଇଥିଲେ ।