ନୂଆଦିଲ୍ଲୀ: ଆଇପିଏଲ ୨୦୨୩ରେ ଶନିବାର ନିଜ ନିଜର ଶେଷ ଲିଗ୍ ମ୍ୟାଚ୍ ଖେଳିଥିଲେ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଯଦିଓ ଦିଲ୍ଲୀ ଏହି ମ୍ୟାଚ୍ ହାରିବା ସହିତ ଚଳିତ ସିଜିନରୁ ବିଦାୟ ନେଇଛି, ଚେନ୍ନାଇ କିନ୍ତୁ ଏହି ମୁକାବିଲା ବିଜୟ ସହ ପ୍ଲେ ଅଫରେ ସ୍ଥାନ ପକ୍କା କରିଛି । ତେବେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚଳିତବର୍ଷ ଜୁଲାଇ ୭ ତାରିଖରେ ୪୨ ବର୍ଷ ବୟସରେ ପଦାର୍ପଣ କରିବେ । ଏନେଇ କେତେକ ପ୍ରଶଂସକ ଆଶଙ୍କା କରୁଛନ୍ତି ଯେ ଆଇପିଏଲ ୨୦୨୩ ଧୋନୀଙ୍କର ଶେଷ ସିଜନ୍ ହୋଇପାରେ । ସେପଟେ ଆଇପିଏଲରୁ ଧୋନୀଙ୍କ ସନ୍ୟାସ ନେବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଚେନ୍ନାଇ ସୁପରକିଙ୍ଗସର ବ୍ୟାଟିଂ କୋଚ୍ ମାଇକ୍ ହସି ।
ମାଇକ୍ ହସି ନିଜର ପ୍ରତିକ୍ରିୟାରେ କହିଛନ୍ତି, "ଏବେ ବି ଛକା ମାରିବାର ସାମର୍ଥ୍ୟ ରଖୁଥିବା ଧୋନୀ ନିଜ ଖେଳ ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି । ଯେତେଦିନ ପର୍ଯ୍ୟନ୍ତ ଧୋନୀଙ୍କ ଖେଳ ମଜା ଲାଗୁଛି, ସେତେଦିନ ପର୍ଯ୍ୟନ୍ତ ସେ ଖେଳି ଚାଲିବେ । ଧୋନୀ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ନଖେଳିବାର ସେଭଳି କୌଣସି କାରଣ ନାହିଁ ।" ତେବେ ଧୋନୀ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଆଇପିଏଲ ଖେଳିବାର ସାମର୍ଥ୍ୟ ରଖନ୍ତି ବୋଲି କହିଛନ୍ତି ସିଏସ୍କେ ବ୍ୟାଟିଂ କୋଚ୍ ମାଇକ୍ ହସି । ପ୍ରକାଶ ଥାଉ କି, ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନୀ ପ୍ରଥମ ସିଜିନ୍ (୨୦୦୮)ରୁ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ଭାବେ ଦାୟିତ୍ବ ତୁଲାଉଛନ୍ତି । ଧୋନୀଙ୍କ ଅଧିନାୟିକତ୍ବରେ ସିଏସ୍କେ ଆଇପିଏଲ ଇତିହାସରେ ଏକ ସଫଳ ଟିମ୍ ଭାବେ ୪ ଥର ଟାଇଟଲ ହାସଲ କରିଛି ।
ତେବେ ବିଭିନ୍ନ ସମୟରେ ଆଇପିଏଲରୁ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ହୋଇଥାଏ । ବିଗତ କିଛିବର୍ଷ ହେବ ଏହି ଚର୍ଚ୍ଚା ଜୋର ଧରିଥିବା ବେଳେ ନିଜେ ଧୋନୀ ଏହାକୁ ଖଣ୍ଡନ କରି ଆସୁଥିଲେ । ନିକଟରେ ଚେନ୍ନାଇ ଠାରେ ତାମିଲନାଡ଼ୁ ଚାମ୍ପିୟନ୍ସ୍ ଫାଉଣ୍ଡେସନ ଓ 'Chief Minister's Trophy'ର ଲୋଗୋ ଉନ୍ମୋଚନ ଉତ୍ସବରେ ଯୋଗଦେଇଥିଲେ ଧୋନୀ । ସେଠାରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସମସ୍ତଙ୍କ ଭଳି ମୁଁ ମଧ୍ୟ ଏମଏସ ଧୋନୀଙ୍କର ଜଣେ ବହୁତ ବଡ଼ ପ୍ରଶଂସକ ବୋଲି କହିଥିଲେ । ସେ ଆହୁରି କହିଥିଲେ, "ମୁଁ ଆଶା କରୁଛି, ଆମ ତାମିଲନାଡ଼ୁର ପୋଷ୍ୟପୁତ୍ର ସିଏସକେ ପାଇଁ ଖେଳିବା ଜାରି ରଖିବେ । ସେ ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ପ୍ରେରଣା । କେବଳ କ୍ରିକେଟରେ ନୁହେଁ, ସମସ୍ତ କ୍ରୀଡ଼ାରେ ଆମେ ତାମିଲନାଡ଼ୁରୁ ଆହୁରି ଅନେକ ଧୋନୀ ସୃଷ୍ଟି କରିବାକୁ ଚାହୁଁ ।" ତେବେ ଚଳିତ ସିଜିନରେ ମଧ୍ୟ ଏହା ତାଙ୍କର ଶେଷ ସିଜିନ ନୁହେଁ ବୋଲି ପରୋକ୍ଷରେ ସଂକେତ ଦେଇଥିଲେ ଧୋନୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ