ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) ପ୍ଲେ-ଅଫ୍ ପର୍ଯ୍ୟାୟ ଯେତିକି ପାଖଉଛି ସେହି ମାତ୍ରାରେ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି । ଗୁଜୁରାଟ ଓ ଲକ୍ଷ୍ନୌ ପ୍ଲେ-ଅଫରେ ପ୍ରବେଶ କରିସାରିଛନ୍ତି । ଆଜି (ଶୁକ୍ରବାର) 68ତମ ଲିଗ ମ୍ୟାଚରେ ରାଜସ୍ଥାନ ରୟାଲ୍ସ (RR) ଓ ଚେନ୍ନାଇ ସୁପରକିଙ୍ଗ୍ସ (CSK) ପରସ୍ପରକୁ ଭେଟିବେ । ପୂର୍ବରୁ ପ୍ଲେ-ଅଫ୍ରୁ ବାଦ ପଡି ସାରିଥିବାରୁ ବିଜୟ ସହ ଚଳିତ ସଂସ୍କରଣ ଶେଷ କରିବା ଲକ୍ଷ୍ୟରେ ରହିବ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ । ଅନ୍ୟପଟେ ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିବା ରାଜସ୍ଥାନ ଔପଚାରିକ ଭାବେ ଏହି ମ୍ୟାଚ୍ରେ ବିଜୟୀ ହୋଇ ପ୍ଲେ-ଅଫ୍ ଟିକେଟ ହାତେଇବା ଲକ୍ଷ୍ୟରେ ରହିବ ।
ଆଜିର ମ୍ୟାଚରେ ରୟାଲ୍ସକୁ ଅଟକାଇବାକୁ କୌଣସି ସୁଯୋଗ ହାତଛଡା କରିବ ନାହିଁ ଚେନ୍ନାଇ । ରୟାଲ୍ସ ହରାଇବାକୁ ହେଲେ ସୁପରକିଙ୍ଗ୍ସ ପ୍ରଥମେ ଜସ ବଟଲରଙ୍କୁ ବିସ୍ଫୋରକ ବ୍ୟାଟିଂରେ ବ୍ରେକ ଲଗାଇବାକୁ ହେବ । ବଟଲର ଚଳିତ ସିଜିନରେଦମଦାର ଫର୍ମରେ ରହିଛନ୍ତି ଓ 3ଟି ଶତକ ଅର୍ଜନ କରିସାରିଛନ୍ତି । ଇଂଲିସ ପାୱରହିଟରଙ୍କ ପାଖରେ ଅରେଞ୍ଜକ୍ୟାପ୍ ମଧ୍ୟ ରହିଛି ।
ମ୍ୟାଚ ଜିତିବାକୁ ସବୁ ରଣନୀତି ଆପଣେଇବ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ । ସେପଟେ ପ୍ଲେ-ଅଫ ଦୌଡରେ ଥିବା ରାଜସ୍ଥାନ ଆଜିର ମ୍ୟାଚ ଜିତିବାକୁ ସମସ୍ତ କୌଶଳ ଆପଣେଇବ । ଦଳର ବୋଲିଂ ବିଭାଗ ଶକ୍ତିଶାଳୀ ଅଛି । ପ୍ରସିଦ୍ଧ କ୍ରୀଷ୍ଣା, ବୋଲ୍ଟ ଓ ୟୁଜଭେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ବିନ ଫର୍ମରେ ରହିଛନ୍ତି । ଆଜିର ମ୍ୟାଚକୁ ଜିତିଲେ ତୃତୀୟ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିବ ରାଜସ୍ଥାନ ।
ବ୍ୟୁରାେ ରିପୋର୍ଟ, ଇଟିଭି ଭାରତ