ମୁମ୍ବାଇ: ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ୫୧ତମ ମ୍ୟାଚ୍ ଜାରି । ବିଗତ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ମୁମ୍ବାଇ ଆଜିର ମ୍ୟାଚରେ ଆଖିଦୃଶିଆ ପ୍ରଦର୍ଶନ କରିଛି । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 177 ରନ ସଂଗ୍ରହ କରିଛି ଟିମ୍ । ଫଳରେ ଟାଇଟନ୍ସ ଆଗରେ ରହିଛି 178 ରନର ଟାର୍ଗେଟ ।
ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଟାଇଟନ୍ସ କ୍ୟାପ୍ଟେନ ହାର୍ଦ୍ଧିକ ପାଣ୍ଡ୍ୟା । ଏହାପରେ ଓପନିଂକୁ ଓହ୍ଲାଇଥିଲେ ରୋହିତ ଶର୍ମା ଏବଂ ଇଶାନ କିଶାନ । ପୂର୍ବ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କ୍ୟାପ୍ଟେନ ରୋହିତ ମଧ୍ୟ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । 7 ଓଭର ସୁଦ୍ଧା ଉଭୟ ଓପନର ଦଳୀୟ ସ୍କୋର 74 ରେ ପହଞ୍ଚାଇଥିଲେ । ମାତ୍ର 43 ରନରେ ରୋହିତ ରଶିଦ ଖାନଙ୍କ ଶିକାର ହୋଇ ଥିବାବେଳେ ଇଶାନ କିଶାନ ମଧ୍ୟ 45 ରନ କରି ଆଉଟ୍ ହୋଇଯାଇଥିଲେ ।
ଅନ୍ୟପଟେ କୌଣସି ମଧ୍ୟକ୍ରମା ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ପାରିନଥିବାରୁ ଦଳକୁ ନିରାଶ ହେବାକୁ ପଡିଥିଲା । ସୂର୍ଯ୍ୟକୁମାର ଯାଦବ 13, ତିଲକ ବର୍ମା 21 ଏବଂ କିରନ ପୋଲାର୍ଡ 4 ରନ୍ କରି ପାଭିଲିୟନ ଫେରି ଯାଇଥିଲେ । ଏହାପରେ ଲଢୁଆ ପାଳି ଖେଳି ଦଳକୁ ଶକ୍ତି ଯୋଗାଇଥିଲେ ଟିମ୍ ଡେଭିଡ । 21 ବଲରେ ଅପରାଜିତ ଧୂଆଁଧାର 44 ରନ ବଳରେ ଦଳୀୟ ସ୍କୋରକୁ ସମ୍ମାନଜନକ ସ୍ଥିତିକୁ ନେଇଥିଲେ । ସେପଟେ ଗୁଜୁରାଟ ପକ୍ଷରୁ ରଶିଦ ଖାନଙ୍କୁ ସର୍ବାଧିକ 2ଟି ୱିକେଟ ମିଳି ଥିବାବେଳେ ଲକି ଫର୍ଗୁସନ, ସଙ୍ଗୱାନ ଏବଂ ଅଲଜାରି ଜୋସେଫଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।