ହାଇଦ୍ରାବାଦ: ମୁମ୍ବାଇ ଇଣ୍ଡିଆନ୍ସ ମୁଣ୍ଡାଇଛି ଆଇପିଏଲ ଚମ୍ପିୟାନ ତାଜ । ଶେଷ ଓଭରର ଶେଷ ବଲରେ ଦୁଇ ରନ ଦରକାର ଥିଲା । ହେଲେ ଆମେ କେମିତି ହାରିଲୁ ଏବେବି ବିଶ୍ବାସ ହେଉନି । ପରାଜୟର କାରଣ ମଧ୍ୟ ଏବେବି ଅବୁଝା । ଫାଇନାଲରେ ଚେନ୍ନାଇ ହାରିବା ପରେ ଏମିତି କହିଛନ୍ତି ଟରବୋନେଟର ହରଭଜନ ।
ଆଇପିଏଲ ଫାଇନାଲରେ 150ରନର ଟାର୍ଗେଟ ଅଧିକ ନଥିଲା । ସୁପରକିଙ୍ଗ୍ସର ଆରମ୍ଭ ବି ଭଲ ଥିଲା । ଶେଷ ଓଭରରେ 9 ରନ ଦରକାର ଥିଲା । ଶେଷ ଯାଏଁ ମ୍ୟାଚରେ ରୋମାଞ୍ଛ ଭରିକି ଥିଲା । ସତେ ଯେମିତି ବିଜୟର ଲୁଚକାଳି ଖେଳ ଚାଲିଥିଲା । କେତେବେଳେ ମୁମ୍ବାଇ ଆଗରେ ରହୁଥିଲା ତ କେତେବେଳେ ଚେନ୍ନାଇ ସୁପରକିଙ୍ଗ୍ସ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରିୟ ଷ୍ଟାଡିୟମ ଯେମିତି ଏକ ହୃଦୟବିଦାରକ ଆଇପିଏଲ ଫାଇନାଲର ସାକ୍ଷୀ ହେବାକୁ ବ୍ୟଗ୍ର ଥିଲା ।
56 ବଲରୁ 80 ରନ କରି ୱାଟସନ ଚେନ୍ନାଇକୁ ବିଜୟ ଦ୍ବାରରେ ପହଞ୍ଚାଇ ଥିଲେ । ତେବେ ଶେଷ ଓଭର ବୋଲିଂ କରିବାକୁ ଆସି ଭେଟେରାନ ଶ୍ରୀଲଙ୍କାନ ଲସିଥ ମଲିଙ୍ଗା ସେମିତି ହେବାକୁ ଦେଇନଥିଲେ । 20ତମ ଓଭରର 4ର୍ଥ ବଲରେ ୱାଟସନ ରନ ଆଉଟ ହୋଇଯାଇଥିଲେ । ଫଳରେ ମୁମ୍ବାଇ ମ୍ୟାଚକୁ ଫେରିଥିଲା । ହରଭଜନ ବ୍ୟାଟିଂ ପାଇଁ ଆସିବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଯୁବ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବ୍ୟାଟିଂ ପାଇଁ ଆସିଥିଲେ । ଦୁଇ ଦଳର ବିଜୟ ବ୍ୟବଧାନ ଭିତରେ ଥିଲା ମାତ୍ର 2 ରନ । ଆଉ ଶେଷ ବଲରେ ମଲିଙ୍ଗା ତାଙ୍କର ପ୍ରମୁଖ ଅସ୍ତ୍ର ପ୍ରୟୋଗ କରିଥିଲେ । ସ୍ଲୋ-ୟରକର । ଆଉଟ ହୋଇଥିଲେ ଶାର୍ଦ୍ଦୁଳ । ଅବିଶ୍ବସନୀୟ ଭାବେ 1ରନରେ ହାରିଲା ଚେନ୍ନାଇ । ଏହାକୁ ନେଇ ହରଭଜନ ହାରିବାର କାରଣ ଏବେବି ବୁଝିପାରୁନି ବୋଲି ଟ୍ବିଟ କରିଛନ୍ତି । ସେ ଏହି ମ୍ୟାଚକୁ ହାଟବ୍ରେକିଙ୍କ କହିଛନ୍ତି । ଚେନ୍ନାଇ ସୁପରକିଙ୍ଗ୍ସର ସବୁ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।