ଦିଲ୍ଲୀ: ସରିଆସୁଛି ଚଳିତ ଆଇପିଏଲର ଲିଗ ପର୍ଯ୍ୟାୟ । ଶନିବାର ଆଇପିଏଲର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ 5 ୱିକେଟରେ ପରାସ୍ତ କରିଛି । ଫଳରେ ପରାଜୟ ସହ ରାଜସ୍ଥାନ ଆଇପିଏଲରୁ ବିଦାୟ ନେଇଛି ।
ଆଜି ଉଭୟ ଦଳ ଶେଷ ଲିଗ ମ୍ୟାଚ ଖେଳିଥିଲେ । ଦିଲ୍ଲୀର ଫିରୋଜ ଶାହା କୋଟଲା ପିଚ ବୋଲରଙ୍କୁ ସୁହାଇଥିଲା । ଦିଲ୍ଲୀ ବୋଲର ଇଶାନ୍ତ ଶର୍ମା, ଅମିତ ଶର୍ମା ଓ ଟ୍ରେଣ୍ଟ ବୋଲ୍ଟ ଘାତକ ବୋଲିଂ କରିଥିଲେ । ଇଶାନ୍ତ ଶର୍ମା 3ଟି, ଅମିତ ଶର୍ମା 3ଟି, ଓ ଟ୍ରେଣ୍ଟ ବୋଲ୍ଟ 2ଟି ୱିକେଟ ନେଇଥିଲେ । ଫଳରେ ରାଜସ୍ଥାନ 9 ୱିକେଟ ହରାଇ ମାତ୍ର 115 ରନ କରିପାରିଥିଲା । ରାଜସ୍ଥାନ ପକ୍ଷରୁ 17 ବର୍ଷିୟ ରିୟାନ ପରାଗ ଅର୍ଦ୍ଧଶତକ ହାସଲ କରିଥିଲେ । ଦଳର 7ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।
116 ରନର ଲକ୍ଷକୁ ପିଛା କରି ଦିଲ୍ଲୀ 23ବଲ ବାକିଥାଇ ବିଜୟୀ ହୋଇଥିଲା । ଦିଲ୍ଲୀ ପକ୍ଷରୁ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ପୁଣି ଏକ ଆକର୍ଷଣୀୟ ଇଂନିସ ଖେଳିଥିଲେ । ସେ 38 ବଲରୁ ଧୂଆଁଧାର 50 ରନ କରିଥିଲେ । ଦିଲ୍ଲୀ ବିଜୟକୁ 1ରନ ଆବଶ୍ୟକ କରୁଥିବା ବେଳେ, ଛକା ମାରି ନିଜ ଅର୍ଧଶତକ ପୂରଣ କରିଥିଲେ । ଏହାସହ ଦଳକୁ ବିଜୟୀ କରାଇଥିଲେ । ଭେଟେରାନ ଲେଗ ସ୍ପିନର ଅମିତ ମିଶ୍ର ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ