କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ବିତୀୟ ମ୍ୟାଚ୍ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଦିଲ୍ଲୀରେ ପ୍ରଥମ ମ୍ୟାଚ୍ରେ ପରାଜୟ ପରେ କଟକରେ କମବ୍ୟାକ୍ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ୍ର ପରାଜୟକୁ ଭୁଲି ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିବେ ବୋଲି ଆଶାବାଦୀ ରହିଛି ଟିମ । ତେବେ ଏହି ମ୍ୟାଚ୍ରେ ଆକ୍ସିଡେଣ୍ଟାଲ କ୍ୟାପଟେନ(Accidental Captain) ଋଷଭ ପନ୍ତଙ୍କ କ୍ୟାପଟେନ୍ସିର ପରୀକ୍ଷା ହେବ ।
ପ୍ରଥମ ଥର ପାଇଁ ଭାରତୀୟ ଟିମର ନେତୃତ୍ବ ନେଉଥିବା ପନ୍ତଙ୍କୁ ପରାଜୟ ହଜମ ହୋଇନଥିବ । ଡେଭିଡ ମିଲର ଓ ରସି ଭନ ଡର୍ ଡୁସେନ ୨୧୨ ରନ୍ର ବିଶାଳ ଟାର୍ଗେଟକୁ ସହଜରେ ହାସଲ କରି ସିରିଜରେ ଦକ୍ଷିଣ ଆଫ୍ରିକାକୁ ୧-୦ରେ ଆଗୁଆ କରିବାପରେ ଟିମ ଇଣ୍ଡିଆ କ୍ୟାମ୍ପ୍ ସାମାନ୍ୟ ଚିନ୍ତାରେ ପଡିଛି । ଯୁବ ୱିକେଟ କିପର ବ୍ୟାଟ୍ର ପନ୍ତ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ଲେ-ଅଫ୍ରେ ପହଞ୍ଚାଇବାରେ ବିଫଳ ହୋଇଥିଲେ ।
ଅନ୍ୟପଟେ ଅଧିନାୟକତ୍ବ ଇଂନିସ ଆରମ୍ଭରୁ ପନ୍ତଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ମଧ୍ୟ ଆସିସାରିଛନ୍ତି । ଗୁଜରାଟ ଟାଇଟନ୍ସକୁ ଆଇପିଏଲ ଚାମ୍ପିୟନ୍ସ କରାଇଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଭାରତୀୟ ଟିମର ପରବର୍ତ୍ତୀ ହ୍ବାଇଟ ବଲ୍ କ୍ୟାପଟେନ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି । ଏପରି ପ୍ରତିକୂଳ ପରିସ୍ଥିତିରେ ପନ୍ତଙ୍କୁ ବାରବାଟୀରେ ବଡ ପରୀକ୍ଷା ଅପେକ୍ଷା କରିଛି । ଆଇପିଏଲରେ ରନର୍ସଅପ୍ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ସର୍ବାଧିକ ୨୭ ୱିକେଟ ହାସଲ କରି ପର୍ପଲକ୍ୟାପ୍ ବିଜେତା ହୋଇଥିବା ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ମାତ୍ର ଦୁଇ ଓଭର ପୂର୍ଣ୍ଣ ବୋଲିଂ କରାଇ ବିବାଦୀୟ ହୋଇଛନ୍ତି ପନ୍ତ ।
ଅନ୍ୟପଟେ ପାଣ୍ଡ୍ୟା ଯେଉଁଠାରେ ନିଜର IPL ଶେଷ କରିଥିଲେ ସେହି ଫର୍ମରୁ ଆରମ୍ଭ କରିଛନ୍ତି । ଗତବର୍ଷ ନଭେମ୍ବରରେ ୨୦୨୧ ଟି୨୦ ବିଶ୍ବକପରେ ଶେଷ ଥର ପାଇଁ ଭାରତ ପାଇଁ ଖେଳିଥିବା ପାଣ୍ଡ୍ୟା ୧୨ ବଲ୍ରୁ ୩୧ ରନ୍ର ଇଂନିସ ଖେଳି ଭାରତର ସ୍କୋର ୨୦୦ ପାର୍ କରାଇଥିଲେ । ମାତ୍ର ବଲ୍ରେ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ । ସେ ବୋଲିଂ କରିଥିବା ଏକମାତ୍ର ଓଭରରେ ମହଙ୍ଗା ସାବ୍ୟସ୍ତ ହେବାସହ ୧୮ ରନ୍ ବ୍ୟୟ କରିଥିଲେ । ଫଳରେ ପନ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ବୋଲିଂ ବିଭାଗ । ଏପରି ସ୍ଥିତିରେ ଅର୍ଶଦୀପ ସିଂ କିମ୍ବା ସ୍ପିଡଷ୍ଟାର୍ ଉରମାନ ମଲିକଙ୍କୁ ବୋଲିଂ ଆକ୍ରଣମରେ ସାମିଲ କରିପାରନ୍ତି ପନ୍ତ । ଭୁବନେଶ୍ବର କୁମାର, ଅଭେଶ ଖାନ ଓ ହର୍ଷଲ ପଟେଲ ପ୍ରଥମ ଟି୨୦ ମ୍ୟାଚ୍ରେ ପ୍ରଭାବୀ ସାବ୍ୟସ୍ତ ହୋଇପାରିନଥିଲେ ।
ପନ୍ତଙ୍କ ପାଇଁ ବାରବାଟୀ ଟି୨୦ ବିଜୟ ଏକପ୍ରକାର ଜରୁରୀ ହୋଇପଡିଛି । କାରଣ ଦ୍ବିତୀୟ ମ୍ୟାଚ୍ରେ ପରାଜୟ ଅର୍ଥାତ ସିରିଜ ଜିତିବାକୁ ଶେଷ ତିନୋଟି ମ୍ୟାଚ୍ରେ ଲତାଗାର ବିଜୟୀ ହେବାକୁ ପଡିବ । ଯାହା ପନ୍ତ ବାହିନୀ ପାଇଁ ସହଜ ହେବନାହିଁ । ଅନ୍ୟପଟେ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଥିବା ଡେଭିଡ ମିଲର ନିଜର IPL ପର୍ମକୁ ବଳବତ୍ତର ରଖିବାରେ ସଫଳ ହୋଇଛନ୍ତି । ଗୁଜରାଟ ଟାଇଟନ୍ସର ଟ୍ରଫି ବିଜୟରେ ପ୍ରମୁଖ ଭୁମିକା ନିଭାଇଥିବା ମିଲର ୬୮.୭୧ ଆଭରେଜରେ ୪୮୧ ରନ୍ ସଂଗ୍ରହ କରିଥିଲେ । ଦିଲ୍ଲୀରେ ବିସ୍ଫୋରକ ବ୍ୟାଟିଂ ସହ ଉଭୟ ସ୍ପିନ ଓ ପେସ୍ ବୋଲିଂ ଆକ୍ରମଣକୁ ସାଧାରଣ ସାବ୍ୟସ୍ତ କରିଥିଲେ । କ୍ବିଣ୍ଟନ ଡିକକ୍, କାଗିସୋ ରବାଡା, ଭନ ଡର ଡୁସେନ୍, ଆନରିଚ୍ ନର୍କିୟାଙ୍କୁ ନେଇ ଦକ୍ଷିଣ ଆଫ୍ରିକା ଟିମ କୌଣସି ପିଚ୍ରେ ମଧ୍ୟ ବିଜୟୀ ହୋଇପାରିବ ବୋଲି ପ୍ରମାଣିତ କରିଛି ।
ଟିମ:
ଭାରତ: ଋଷଭ ପନ୍ତ(କ୍ୟାପଟେନ/ ୱିକେଟ କିପର), ଋତୁରାଜ ଗାଏକ୍ବାଡ, ଇଶାନ କିଶନ, ଦୀପକ ହୁଡ୍ଡା, ଶ୍ରେୟସ ଆୟର, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟଶ ଆୟର, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅଭେଶ ଖାନ, ଅର୍ଶଦୀପ ସିଂ, ଉରମାନ ମଲିକ ।
ଦକ୍ଷିଣ ଆଫ୍ରିକା: ତେମ୍ବା ବାଭୁମା(କ୍ୟାପଟେନ୍), କ୍ବିଣ୍ଟନ ଡିକକ୍(ୱିକେଟ କିପର), ରେଜା ହେଣ୍ଡ୍ରିକ୍ସ, ହେନରିଚ୍ କ୍ଳାସେନ, କେଶବ ମହାରାଜ, ଏଡନ ମାର୍କ୍ରମ, ଡେଭିଡ ମିଲର, ଲୁଙ୍ଗି ନିଙ୍ଗିଡି, ଆନରିଚ ନର୍କିୟା, ୱାନ ପର୍ନେଲ, ଡ୍ବାଇନ ପ୍ରିଟୋରିସ, କାଗିସୋ ରବାଡା, ତାଜରେଜ ସାମସି, ତ୍ରିସ୍ତାନ ଷ୍ଟବସ, ରସି ଭନ ଡର ଡୁସେନ, ମାର୍କୋ ଜାନସେନ୍ ।