ଜୟପୁର: ଆସନ୍ତାକାଲି ଠୁ ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବ ୩ ମ୍ୟାଚ ବିଶିଷ୍ଟ ଟି-ଟେଣ୍ଟି ସିରିଜ । ଭାରତ ବିପକ୍ଷ ଟି-୨୦ ସିରିଜ୍ରୁ ଓହରି ଯାଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ। ଆଗକୁ ହେବାକୁ ଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ଉପରେ ସେ ଫୋକସ କରୁଥିବା ଜଣାପଡ଼ିଛି।
ୱିଲିୟମସନ ଜଣେ ଅଭିଜ୍ଞପୂର୍ଣ୍ଣ ଖେଳାଳି । ୱିଲିୟମସନ ରେଡ୍ ବଲ ମ୍ୟାଚ୍ରେ ଅଧିକ ଫୋକସ କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଟି-୨୦ ସିରିଜ୍ରୁ ଓହରି ଯାଇଛନ୍ତି। ତାଙ୍କ ଅନୁପସ୍ଥିତି ଦଳୀୟ ଖେଳାଳିଙ୍କୁ ଅନୁଭବ ହେବ । ତାଙ୍କ ବଦଳରେ ସ୍ପିଡଷ୍ଟାର ଟିମ ସାଉଦି ବ୍ଲାକ କ୍ୟାପ ଦଳର ନେତୃତ୍ବ ନେବେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ଠାରୁ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ। ନୂଆ କୋଚ୍ ଭାବେ ରାହୁଲ ଡ୍ରାବିଡ୍ଙ୍କ ଏହା ହେଉଛି ପ୍ରଥମ ସିରିଜ୍। ତେଣୁ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।
କାୟଲ ଜାମିସନ, ଡାରେଲ ମିଚେଲ, ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟର ଉଭୟ ଟି-୨୦ ଓ ଟେଷ୍ଟ ସିରିଜ୍ ଖେଳିବେ। ଦ୍ରୁତ ବୋଲର ଲକି ଫରଗୁସନ ମଧ୍ୟ ଆହତ ସମସ୍ୟାରୁ ଦୂର ହେଲେ ସେ ମଧ୍ୟ ଟି-୨୦ ସିରିଜ ଖେଳିବେ । ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ବିଶ୍ବ କପ ଫାଇନାଲ ମ୍ୟାଚରେ ପରାସ୍ତ ହୋଇଥିଲା ନ୍ୟୁଜିଲାଣ୍ଡ । ଟ୍ରଫି ଜିତିବା ଆଶା ଧୂଳିସାତ ହୋଇଥିଲା । ଭାରତ ବିପକ୍ଷ ଟି-୨୦ ସିରିଜ ୧୭, ୧୮ ଓ ୨୧ରେ ଖେଳାଯିବ। ଏନେଇ ଜୟପୁରରେ ପହଞ୍ଚିସାରିଛି ନ୍ୟୁଜିଲାଣ୍ଡ ଦଳ । ଟି-ଟ୍ବେଣ୍ଟି ପରେ କାନପୁରରେ ପ୍ରଥମ ଟେଷ୍ଟ ଏବଂ ଡିସେମ୍ବର ୩ରୁ ୭ ତାରିଖ ମୁମ୍ବାଇରେ ଦ୍ବିତୀୟ ଟେଷ୍ଟ ଖେଳାଯିବ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ