କଲମ୍ବୋ: ଏଠାରେ ଖେଳାଯାଉଥିବା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚରେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଘରୋଇ ଦଳ । ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୬୨ ରନ ସଂଗ୍ରହ କରିଛି ସିଂହଳ ଦଳ । ଫଳରେ ଟିମ ଇଣ୍ଡିଆ ସାମ୍ନାରେ ୨୬୩ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ନିୟମିତ ବ୍ୟବଧାନରେ ଭାରତୀୟ ବୋଲର ୱିକେଟ ଅକ୍ତିଆର କରିଥିଲେ ମାତ୍ର ଚମିକା କରୁଣାରତ୍ନେଙ୍କ ଅପରାଜିତ ୪୩ ରନର ଇଂନିସ ଫଳରେ ଶ୍ରୀଲଙ୍କା ୨୬୨ ରନର ଲଢୁଆ ସ୍କୋର କରିବାକୁ ସମର୍ଥ ହୋଇଛି ।
ଦୁଇ ଷ୍ଟାର ସ୍ପିନର କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲଙ୍କ ସହ ଦ୍ରୁତ ବୋଲର ଦୀପକ ଚହର ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।
କ୍ୟାପଟେନ ଦାସୁନ ସନାକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ ଭଲ ଆରମ୍ଭ କରିଥିଲେ ଦୁଇ ଶ୍ରୀଲଙ୍କା ଓପନର । ପ୍ରଥମ ୯ ଓଭରରେ ଅଭିସ୍କା ଫର୍ନାଣ୍ଡୋ ଓ ମିନୋଦ ଭାନୁକା ୪୯ ରନ ଯୋଡିଥିଲେ । ତେବେ ୧୦ମ ଓଭରରେ ଚହଲ ୩୨ ରନରେ ବ୍ୟାଟିଂ କରୁଥିବା ଫର୍ନାଣ୍ଡୋଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ ।
ପରେ ଦ୍ବିତୀୟ ୱିକେଟ ଯୋଡିରେ ମଧ୍ୟ ୩୬ ରନର ଭାଗିଦାରୀ ମିନୋଦ ଓ ଭାନୁକା ରାଜପାକସାଙ୍କ ମଧ୍ୟରେ ହୋଇଥିଲା । ପରେ ରାଜପାକସାଙ୍କୁ ପାଭିଲିଅନ ପଠାଇ ଏହି ଯୋଡି ଭାଙ୍ଗିଥିଲେ କୁଲଦୀପ ଓ ସମାନ ଓଭରରେ ମିନୋଦଙ୍କୁ ମଧ୍ୟ ଶିକାର କରିଥିଲେ । ଫଳରେ ଶ୍ରୀଲଙ୍କାର ସ୍କୋର ୮୯/3 ହୋଇଥିଲା ।
ପରେ କ୍ୟାପଟେନ ଦାସୁନ ସନାକାଙ୍କ ୩୯ ଓ ଚାରିଥ ଅସଲାଙ୍କା ୩୮ ରନ୍ର ଉପଯୋଗୀ ଇଂନିସ ଖେଳିଥିଲେ । ତେବେ ଶେଷ ଭାଗରେ ଦ୍ରୁତ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲେ ଚାମିକା କରୁଣାରତ୍ନେ । ୩୫ ବଲ୍ରୁ ଗୋଟିଏ ଚୌକା ଓ ଦୁଇଟି ଛକା ସହାୟତାରେ ଅପରାଜିତ ୪୩ ରନର ଇଂନିସ ଖେଳି ଶ୍ରୀଲଙ୍କାର ସ୍କୋର ୨୫୦ ପାର୍ କରାଇଥିଲେ ।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ୨୬୨/9(ଚମିକା କରୁଣାରତ୍ନେ ୪୩*, ଦାସୁନ ସନାକା ୩୯, କୁଲଦୀପ ଯାଦବ ୨-୪୮) ବନାମ ଭାରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ