ହାଇଦ୍ରାବାଦ: କ୍ରିକେଟ ବିଶ୍ବକପ ମହାକୁମ୍ଭ ଜାରି ରହିଛି । ଭାରତ ନିଜର ବିଜୟ ଧାରା ଜାରି ରଖିଛି । ଏହାରି ମଧ୍ୟରେ ପ୍ରଖ୍ୟାତ କ୍ରୀଡା ଲେଖିକା ମୀନାକ୍ଷୀ ରାଓ ବିଶ୍ବକପର ବିଭିନ୍ନ ଦିଗକୁ ନିଜ ଲେଖା ମାଧ୍ୟମରେ ସାମ୍ନାକୁ ଆଣିଛନ୍ତି । ବୁଧବାର ଭାରତ ଓ ଆଫଗାନିସ୍ତାନ ମ୍ୟାଚ୍ରେ ବିରାଟ କୋହଲି ଓ ନବୀନ-ଉଲ-ହକ 'ବିବାଦର ଦି ଏଣ୍ଡ'ଠୁ ଆରମ୍ଭ କରି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଦିଗକୁ ସାମ୍ନାକୁ ଆଣିଛନ୍ତି । ଏହାସହ ଭାରତର କିମ୍ବଦନ୍ତୀ କ୍ରିକେଟର ସେମାନଙ୍କର ଯାତ୍ରାକୁ ଅଡିଓ ବୁକ୍ ସାହାଯ୍ୟରେ ଲୋକଙ୍କ ସହିତ ବାଣ୍ଟିବାକୁ ଯାଉଛନ୍ତି । ତେବେ ଏହା ଉପରେ ମଧ୍ୟ ଲେଖିକା ଆଲୋକପାତ କରିଛନ୍ତି ।
ତୁଟିଲା କୋହଲି-ନବୀନ ବିବାଦ:- ଗତକାଲି ଭାରତ ଓ ଆଫଗାନିସ୍ତାନ ମ୍ୟାଚର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା ବିରାଟ କୋହଲି ଓ ଆଫଗାନିସ୍ତାନ ଦ୍ରୁତ ବୋଲର ନବୀନ-ଉଲ-ହକ୍ଙ୍କ ମଧ୍ୟରେ ବାର୍ତ୍ତାଳାପ । ଏହି ସମୟରେ ଯେପରି ଷ୍ଟାଡିୟମର ସମସ୍ତ କ୍ୟାମେରା ଏହି ଦୁହିଁଙ୍କ ଉପରେ ଥିଲା । ହକ୍ କୋହଲିଙ୍କ ସହ କଥାବାର୍ତ୍ତା କରୁଥିବା ଉଭୟ ପଛ ବିବାଦକୁ ଭୁଲିଯିବାକୁ ନିଷ୍ପତ୍ତି ନେଇଥିଲେ । ଲକ୍ଷ୍ନୌରେ ଖେଳାଯାଉଥିବା IPL ମ୍ୟାଚ୍ରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ଏହାପରେ ନବୀନ-ଉଲ୍-ହକ୍ ସୋସିଆଲ ମିଡିଆରେ ମଧ୍ୟ କୋହଲିଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରି ଚର୍ଚ୍ଚା ଆହୁରି ବଢାଇଥିଲେ ।
ଉଭୟ ପରସ୍ପରକୁ ଆଲିଙ୍ଗନ କରିବା ପରେ ପ୍ରତିକ୍ରିୟା ରଖିଥିଲେ ନବୀନ-ଉଲ-ହକ୍ । ସେ କହିଥିଲେ, "ଅରୁଣ ଜେଟଲୀ ଷ୍ଟାଡିୟମ କୋହଲିଙ୍କ ହୋମ ଗ୍ରାଉଣ୍ଡ । ସେଥିଲାଗି ଦର୍ଶକ ତାଙ୍କ ହୋମ୍ କ୍ରିକେଟରର ନାଁ ନେଲେ । ସେ ଜଣେ ଭଲ ମଣିଷ ଓ ଜଣେ ଚମତ୍କାର କ୍ରିକେଟର । ଆମେ ପରସ୍ପର କରମର୍ଦ୍ଦନ ମଧ୍ୟ କଲୁ ।" ସେପଟେ କୋହଲି ପ୍ରତିକ୍ରିୟା ରଖି କହିଛନ୍ତି, "ଏହି ବିବାଦ କେବଳ ଗ୍ରାଉଣ୍ଡରେ ଥିଲା । ଗ୍ରାଉଣ୍ଡ ବାହାରେ ନଥିଲା । ଆମେ ପରସ୍ପରକୁ ଆଲିଙ୍ଗନ ଓ କରମର୍ଦ୍ଦନ କରି ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛୁ ।"
କଳା ଓ କ୍ରିକେଟ:- ଆଇସିସି ବିଶ୍ବକପ୍ ୨୦୨୩ ଭାରତର ପ୍ରମୁଖ ୧୦ଟି ସ୍ଥାନରେ ଖେଳାଯାଉଛି । ପ୍ରତିଷ୍ଠିତ ଭାରତୀୟ ଚିତ୍ରକାର ପଦ୍ମଶ୍ରୀ ପରେଶ ମୈତି ନିଜ କଳା ମାଧ୍ୟମରେ ଏହି ୧୦ଟି ସ୍ଥାନକୁ ସୌନ୍ଦର୍ଯ୍ୟକୁ ନିଜ ତୁଳୀରେ ଆଙ୍କିବେ । ଦେଶର ପ୍ରମୁଖ ସହର ଦିଲ୍ଲୀ, କୋଲକାତା, ମୁମ୍ବାଇ, ଅହମ୍ମଦାବାଦରେ ମୈତିଙ୍କ କଳାର ଝଲକ ଦେଖିବାକୁ ମିଳିବ । ତାଙ୍କ କଳା ମାଧ୍ୟମରେ କ୍ରିକେଟର ପ୍ରତିବିମ୍ବ ଝଲସି ଉଠିବ । ମ୍ୟାଚ୍ ଗୁଡ଼ିକ ଆଗକୁ ବଢିବା ସହିତ ଦର୍ଶକ ଏବଂ କଳାପ୍ରେମୀମାନେ ମଧ୍ୟ ମୈତିଙ୍କ ସୃଜନଶୀଳତାକୁ ସାକ୍ଷୀ ହେବାର ଅନନ୍ୟ ସୁଯୋଗ ପାଇବେ । ବିଶ୍ବକପ୍ ଅଭିଜ୍ଞତାରେ ଏହା ଏକ ନୂତନ ଦିଗକୁ ଯୋଡିବ ।
ତାଙ୍କର ଲାଇଭ୍ ପେଣ୍ଟିଂ ଉଭୟ କ୍ରିକେଟ୍ ଏବଂ କଳା ଜଗତ ଲାଗି ଉତ୍ସବ ପାଲଟିବ । ଖେଳର ରୋମାଞ୍ଚକୁ କଳାର ସୌନ୍ଦର୍ଯ୍ୟ ସହିତ ମିଶ୍ରଣ କରିବ । ଅକ୍ଟୋବର ୭ରେ ଦିଲ୍ଲୀର ବିଶ୍ବକପ ଉଦଘାଟନୀ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଏହି ଉଦଘାଟନୀ ମ୍ୟାଚରେ ଆର୍ଟୱାର୍କ ଉନ୍ମୋଚିତ ହୋଇଥିଲା । ଏନେଇ ପରେଶ ମୈତି କହିଥିଲେ," ପୃଥିବୀର ବିଭିନ୍ନ ସ୍ଥାନରୁ ସର୍ବୋତ୍ତମ କ୍ରୀଡ଼ାବିତଙ୍କୁ ପ୍ରଦର୍ଶନ କରିବା ପାଇଁ କ୍ରିକେଟ୍ ବିଶ୍ବକପ୍ ଆୟୋଜନ କରିବା ଭାରତ ପାଇଁ ଏକ ସୌଭାଗ୍ୟର ବିଷୟ । ମୁଁ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମ୍ୟାଚ୍ ଦିଲ୍ଲୀରେ ଦେଖିଥିଲି ଏବଂ ଏହାକୁ ନିଜ ତୁଳୀ ମାଧ୍ୟମରେ ଚିତ୍ରିତ କରିଥିଲି । ଏହି ସମୟରେ ଅନୁଭବ କଲି ଯେ ଏହି ଟୁର୍ଣ୍ଣାମେଣ୍ଟ ଏକ ଉତ୍ସବ ଯାହା ସମସ୍ତଙ୍କୁ ଏକତ୍ରିତ କରିଛି । ଆଇସିସିର ଷ୍ଟାଡିଆ ଆର୍ଟିଷ୍ଟ ହୋଇଥିବାରୁ ମୁଁ ଗୌରବାନ୍ବିତ । ୧୦ ଭେନ୍ୟୁର ମ୍ୟାଜିକକୁ ନିଜ ମାନସପଟରେ ସାଇତି ରଖି ତାକୁ ତୁଳୀ ମାଧ୍ୟମରେ ଆଙ୍କିବାକୁ ଚେଷ୍ଟା କରିବି ।"
କ୍ରିକେଟ ମହାରଥୀଙ୍କ ଅନୁଭୂତିର ଅଡିଓବୁକ୍:- ଏହି ବିଶ୍ବକପ୍ ଇଭେଣ୍ଟ ଜାରି ରହିଥିବା ବେଳେ କ୍ରିକେଟପ୍ରେମୀଙ୍କ ଖୁସିକୁ ଦ୍ବିଗୁଣିତ କରିବାକୁ ସାମ୍ନାକୁ ଆସିଛି ଅଡିଓବୁକ୍ । ଏହା ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲି, ରବି ଶାସ୍ତ୍ରୀ, କ୍ରିସ ଗେଲ୍ ଓ ୱାସିମ ଅକ୍ରମଙ୍କ ଉପରେ ରହିଛି । ସବୁଠୁ ଖାସ୍ କଥା ହେଉଛି ଏହି କିମ୍ବଦନ୍ତୀ କ୍ରିକେଟର ନିଜ ସମ୍ପର୍କରେ ନିଜେ ଲେଖିଛନ୍ତି । ଏହା ଉପରେ ଜଣାଶୁଣା ଭଏସ ଓଭର ଆର୍ଟିଷ୍ଟ ଅକ୍ଷୟ ଗିଲଦିୟାଲଙ୍କ ସମତେ ଅନ୍ୟମାନେ କଣ୍ଠଦାନ କରିଛନ୍ତି । ଉଦାହରଣ ସ୍ବରୂପ 'The story of Wasim Akram'କୁ ୱାସିମ ନିଜେ ଲେଖିଛନ୍ତି । ଏଥିରେ ସେ ନିଜ ଜୀବନ କାହାଣୀ ସମ୍ପର୍କରେ ଆଲୋକପାତ କରିଛନ୍ତି ।
ସେହିପରି ' The Dhoni Touch'କୁ ପ୍ରଖ୍ୟାତ କ୍ରିକେଟ ଲେଖକ ଭାରତ ସୁନ୍ଦେରେସନ ଲେଖିଛନ୍ତି । ଧୋନୀ କିପରି ଆଜି ସମସ୍ତ କ୍ରିକେଟପ୍ରେମୀଙ୍କ ଦିଲ୍ରେ ରାଜ୍ କରିପାରିଛନ୍ତି ସେ ସମ୍ପର୍କରେ ଏଥିରେ ଶ୍ରୋତା ଶୁଣିପାରିବେ ।
କ୍ରିସ ଗେଲ୍ଙ୍କ ସମ୍ପର୍କରେ ଥିବା ଅଡିଓ ବୁକ୍ର ନାମ ରହିଛି ‘Six Machine’ । ଟେଷ୍ଟ ମ୍ୟାଚର ପ୍ରଥମ ବଲ୍ରେ ଛକା ମାରିଥିବା କ୍ରିସ ଗେଲଙ୍କ ଜୀବନୀ ସମ୍ପର୍କରେ ଜାଣିପାରିବେ ଶ୍ରୋତା । ଏକଦା ଗେଲ୍ କହିଥିଲେ, " ବୋଲର ବଲ୍କୁ ସାମ୍ନା କର, ଏହାପରେ କଣ ଫଳାଫଳ ହେବ ତାକୁ ଚିନ୍ତା କର ନାହିଁ । ଦେଶ ପାଇଁ ଖେଳ । ଛକା ମାରିବା ପାଇଁ ବଲ୍କୁ ହିଟ୍ କର । "
ଦି କିଙ୍ଗ କୋହଲିଙ୍କ ସମ୍ପର୍କରେ ଥିବା ଅଡିଓ ବୁକ୍ର ନାମ ରହିଛି 'ବିରାଟ କୋହଲି' । ବିରାଟ ଭାରତୀୟ କ୍ରିକେଟ ଜଗତ ପାଇଁ ଜଣେ କିମ୍ବଦନ୍ତୀ ଖେଳାଳି ନିଶ୍ଚିତ । ସେ ଅଣ୍ଡର-19 ବିଶ୍ବକପ୍ ବିଜୟୀ ଟିମର ସ୍କାଡ୍ ଥିଲେ । ଭାରତୀୟ କ୍ରିକେଟ ଟିମରେ ଯୋଗ ଦେବା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ବିରାଟ । ଏହି ଅଡିଓ ବୁକ୍ରେ ଫିଟନେସ, ନିଷ୍ଠା, ଉତ୍ସର୍ଗୀକୃତର କାହାଣୀ ଶୁଣିପାରିବେ ଶ୍ରୋତା ।
କୋଚ୍, କମେଣ୍ଟେଟର, ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ ନିଜ କୀର୍ତ୍ତିମାନ ସହିତ ଆଜି ବି କ୍ରିକେଟପ୍ରେମୀଙ୍କ ହୃଦୟରେ ରହିଛନ୍ତି । ଏହି ଅଡିଓବୁକ୍ରେ ରବି ଶାସ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନୀ ସମ୍ପର୍କରେ ଜାଣିପାରିବେ ଶ୍ରୋତା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ