ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଟେଷ୍ଟ କ୍ୟାପଟେନ ପଦରୁ ବିରାଟ କୋହଲିଙ୍କ ଇସ୍ତଫା ପରେ କିଏ ପରବର୍ତ୍ତୀ କ୍ୟାପଟେନ ହେବେ ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ଚର୍ଚ୍ଚାର ପରିସରରେ ଏକାଧିକ ନାମ ରହିଥିବାବେଳେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ୱିକେଟ କିପର ବ୍ୟାଟ୍ର ଋଷଭ ପନ୍ତଙ୍କୁ ଭାରତର ଟେଷ୍ଟ କ୍ୟାପଟେନ ଚାହାନ୍ତି ବୋଲି କହିଛନ୍ତି ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପରାଜୟର ଦିନକ ପରେ କୋହଲି ଶନିବାର ଟ୍ବିଟ୍ ଯୋଗେଁ ଟେଷ୍ଟ କ୍ୟାପଟେନ ପଦ ଛାଡିବା ନେଇ ଘୋଷଣା କରିଥିଲେ । ଏହାପରେ ନୂଆ ନେତୃତ୍ବ କାହକୁ ମିଳିବା ଉଚିତ ପ୍ରଶ୍ନର ଉତ୍ତରରେ ଗାଭାସ୍କର କହିଛନ୍ତି, "ଚୟନକର୍ତ୍ତାଙ୍କ ପାଇଁ ଏହି ନିଷ୍ପତ୍ତି ସାମାନ୍ୟ କଷ୍ଟକର ହୋଇପାରେ, କାରଣ ନୂଆ ନେତୃତ୍ବ ଉପରେ ଭାରତୀୟ କ୍ରିକେଟକୁ ଆଗକୁ ନେବାର ଗୁରୁଦାୟିତ୍ବ ନିର୍ଭର କରିବ । ମୋର ମତ ଚାହିଁଲେ, ଋଷଭ ପନ୍ତଙ୍କୁ ପରବର୍ତ୍ତୀ ଭାରତୀୟ କ୍ୟାପଟେନ ସପକ୍ଷରେ ମୋର ମତ ରହିବ ।"
ଏହାମଧ୍ୟ ପଢନ୍ତୁ: ବିରାଟଙ୍କ ନିଷ୍ପତ୍ତି ବ୍ୟକ୍ତିଗତ, BCCI ସମ୍ମାନ କରେ: ସୌରଭ ଗାଙ୍ଗୁଲି
ଗାଭାସ୍କର ଆହୁରି କହିଛନ୍ତି,"ରିକି ପଣ୍ଟିଂ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ପଦ ମିଳିଥିଲା । ଏହାପରେ ତାଙ୍କର ବ୍ୟାଟିଂରେ ଅବିଶ୍ବସନୀୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ନେତୃତ୍ବ ଦାୟିତ୍ବ ତାଙ୍କୁ ୧୫୦, ୨୦୦ ଭଳି ବଡ ସ୍କୋର୍ କରିବାରେ ସହାୟକ ହୋଇଥିଲା । ଏହି ମର୍ମରେ ଯଦି ପନ୍ତଙ୍କୁ ସୁଯୋଗ ମିଳେ, ତେବେ ନିକଟରେ ସେ ନ୍ୟୁଲାଣ୍ଡ୍ସରେ ହାସଲ କରିଥିବା ଶତକ ଭଳି ଅନେକ ମାରାଥନ ଇଂନିସ ଖେଳିପାରିବେ ।"
ତେବେ କୋହଲିଙ୍କ ପରେ ପରବର୍ତ୍ତୀ ଟେଷ୍ଟ କ୍ୟାପଟେନ ପଦ ନେଇ ରୋହିତ ଶର୍ମା, କେଏଲ ରାହୁଲ, ଅଜିଙ୍କ୍ୟ ରାହାଣେ, ଜଶପ୍ରୀତ ବୁମରା ଓ ଋଷଭ ପନ୍ତଙ୍କ ଭଳି ଏକାଧିକ ନାମ ଚର୍ଚ୍ଚାରେ ରହିଛି ।