ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତମାନେ ଦମଦାର ପ୍ରଦର୍ଶନ କରି ଫେରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ପଦକ ବିଜୟୀ ହୋଇ ଫେରିଥିବା ବେଳେ କିଛି ଅଳ୍ପକେ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ । ଅଲମ୍ପିକ ଇତିହାସରେ ଭାରତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଛି ବୋଲି ଏକ ଚିଠିରେ ଉଲ୍ଲେଖ କରିଛନ୍ତି କିମ୍ବଦନ୍ତୀ କ୍ରିକେଟ ଅଧିନାୟକ କପିଲ ଦେବ ।
ଟୋକିଓ ଅଲମ୍ପିକ୍ସରେ ଯୋଗ ଦେବାକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତଙ୍କ ସହ କଥା ହୋଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହାସହ ମ୍ୟାଚରେ ବିଜୟ କିମ୍ବା ପରାଜୟ ହେଲେ ମଧ୍ୟ ମୋଦି ସେମାନଙ୍କ ମନୋବଳ ବଢ଼ାଇଥିଲେ । ତେବେ ଏହାପୂର୍ବରୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ କ୍ରୀଡ଼ା କ୍ଷେତ୍ରକୁ ଏତେଟା ପ୍ରାଧାନ୍ୟ ଦେବା ମୁଁ ଦେଖିନାହିଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କପିଲ ଦେବ ।
ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇ ଭାରତୀୟ ଅଲମ୍ପିଆନ ଫେରିବା ପରେ ପ୍ରଧାନମନ୍ତ୍ରୀ ଉଭୟ ବିଜୟୀ ଓ ପରାଜିତ ହୋଇଥିବା ଅଲମ୍ପିଆନଙ୍କ ସହ ସମୟ ବିତାଇବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହାଦ୍ବାରା କପିଲ ଦେବ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏହାହିଁ ଜଣେ କ୍ରୀଡ଼ାବିତର ଆବଶ୍ୟକତା । ଗୋଟିଏ କାନ୍ଧ, ଯିଏ ସେମାନଙ୍କ ଖରାପ ସମୟରେ ତାଙ୍କ ସାଥି ହୋଇ ପାରିବ ।
ଉଚ୍ଚ ଆଶା ଓ ଆକାଂକ୍ଷା ନେଇ ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିଲେ ଭାରତୀୟ କ୍ରୀଡ଼ାବିତ୍ । କିନ୍ତୁ ଯେତେବେଳେ ଗୋଟିଏ ପରେ ଗୋଟିଏ କ୍ରୀଡ଼ାବିତଙ୍କ ଅସଫଳ ହୋଇ ଫେରିଲେ । ସେମାନେ ଅତି ସହଜରେ ନିଜକୁ ଦଣ୍ଡ ଦେବା ମନେ କରି ଏକା ରହିବାକୁ ଲାଗିଲେ । ଏଭଳି ସ୍ଥିତିରେ ମୋଦିଙ୍କ ଏଭଳି ପ୍ରୟାସ ସେମାନଙ୍କୁ ପୁନଃ ବିଶ୍ବସ୍ତରୀୟ ପ୍ରଦର୍ଶନ କରିବାକୁ ଉତ୍ସାହର ଖୋରାକ୍ ଯୋଗାଇବ ବୋଲି କହିଛନ୍ତି କପିଲ ଦେବ ।
ପ୍ରଧାନମନ୍ତ୍ରୀ ଭାବରେ ମୋଦି କ୍ରୀଡ଼ା ଜଗତ ସହ ନିଜକୁ ଜଡ଼ିତ ରଖିଛନ୍ତି । ଅଧିକାଂଶର କ୍ରୀଡ଼ାବିତଙ୍କ ନାମ ମଧ୍ୟ ସେ ଜାଣିଛନ୍ତି । ସେ ଲଭଲିନା ବର୍ଗୋହେନଙ୍କ ମାଆଙ୍କ ସ୍ବାସ୍ଥ୍ୟବସ୍ଥା ଜାଣିଛନ୍ତି । ସେ ଦୂତୀ ଚାନ୍ଦଙ୍କ ନାମର ମାନେ କଣ ଜାଣିଛନ୍ତି । ସେ ରବି ଦହିୟାଙ୍କ ଗମ୍ଭୀର ରହିବା କାରଣ ମଧ୍ୟ ଜାଣିଛନ୍ତି । କପିଲ ଦେବଙ୍କ ଏଭଳି ଲେଖା ଏକ ସୁପ୍ରସିଦ୍ଧ ଜଣାଶୁଣା ଖବର କାଗଜରେ ପ୍ରକାଶ ପାଇଛି । କପିଲଙ୍କ ଦେବ ଲେଖା ପ୍ରକାଶ ପାଇବା ପରେ କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୋଦିଙ୍କୁ ପ୍ରଶଂସା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ