ନୂଆଦିଲ୍ଲୀ: ଅକ୍ଟୋବର ପୂର୍ବରୁ ଦେଶରେ ଆରମ୍ଭ ହେବନି ଘରୋଇ ଟି20 କ୍ରିକେଟ । ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଅବଶିଷ୍ଟ ମ୍ୟାଚର ଆୟୋଜନ ଯୋଗୁଁ ଘରୋଇ ଟି20 ବିଳମ୍ବରେ ଆରମ୍ଭ ହେବାର ସମ୍ଭାବନା ରହିଛି । ପୂର୍ବରୁ ଘରୋଇ ଟି20 କ୍ରିକେଟ ଶୀଘ୍ର ଆରମ୍ଭ ନେଇ ବିସିସିଆଇର ଯୋଜନା ଥିଲେ ମଧ୍ୟ ଆଇପିଏଲ 2021ର ଶେଷ ପର୍ଯ୍ୟନ୍ତ ଏହା ସମ୍ଭବ ହୋଇନପାରେ ବୋଲି ଚର୍ଚ୍ଚା ହେଉଛି ।
ଆଇପିଏଲ 2021 ସଂସ୍କରଣର ଅବଶିଷ୍ଟ 31ଟି ମ୍ୟାଚ୍ ସେପ୍ଟେମ୍ବର 19ରୁ ଅକ୍ଟୋବର 15 ପର୍ଯ୍ୟନ୍ତ ଯୁଏଇରେ ଖେଳାଯିବା ନେଇ ସୂଚୀ ରହିଛି । ଅନେକ ଘରୋଇ ଖେଳାଳି ଏହି ମେଗା ଟୁର୍ଣ୍ଣାମେଣ୍ଟର ଅଂଶ ରହିଥିବାରୁ ଘରୋଇ ସିଜନ ବିଳମ୍ବିତ ହୋଇପାରେ । ସୟଦ ମୁସ୍ତାଲ ଅଲି ଟ୍ରଫି ସେପ୍ଟେମ୍ବରରୁ ଆରମ୍ଭ ହେବାନେଇ ପୂର୍ବରୁ ଆଶା କରାଯାଉଥିଲା ।
ଆଇପିଏଲ 2022 ସଂସ୍କରଣ ପାଇଁ ମେଗା ନିଲାମ ହେବ । ଅଧିକ ଦୁଇଟି ଟିମ ମଧ୍ୟ ଏହି ସଂସ୍କରଣରେ ଅଂଶଗ୍ରହଣ କରିବାନେଇ ସ୍ଥିର ହୋଇଛି । ଫଳରେ ଏଥର ସୟଦ ମୁସ୍ତାକ ଅଲି ଟି20କୁ ନେଇ ଅଧିକ ଉତ୍ସାହ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ