ନୂଆଦିଲ୍ଲୀ: କ୍ରିକେଟରୁ ସନ୍ନ୍ୟାସ ନେବା ପରେ ହିଁ କ୍ରିକେଟ ଭାଷ୍ୟକାର ହେବକୁ ବିକଳ୍ପ ରୂପେ ଦେଖାଯାଏ । ତେବେ ଏହି ଧାରଣାକୁ ବଦଳାଇବାକୁ ଚାହାନ୍ତି ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ । ଗତ ମାସରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରୁ କ୍ରିକେଟ ଭାଷ୍ୟକାର ଭାବେ ପଦାର୍ପଣ କରିଛନ୍ତି ଦିନେଶ କାର୍ତ୍ତିକ । ଏହାଛଡ଼ା ତାଙ୍କ ସଠିକ ଆକଳନ ଦ୍ବାରା ସେ ସଭିଁଙ୍କୁ ପ୍ରଭାବିତ କରିପାରିଛନ୍ତି ।
ତେବେ ଏହାକୁ ନେଇ ଦିନେଶ କାର୍ତ୍ତିକ କହିଛନ୍ତି ଯେ, "ପରଦା ପଛରେ ରହି ମାଇକ୍ରୋଫୋନରେ କିଛି କହିବା କ୍ରିକେଟ ଖେଳିବା ଅପେକ୍ଷା ଅଧିକ ସହଜ। କିନ୍ତୁ ସେଥିରେ ମଧ୍ୟ ସେହି ଧରଣର କିଛି ଚ୍ୟାଲେଞ୍ଜ ରହିଥାଏ । କମେଣ୍ଟ୍ରି ବକ୍ସରେ ବସି ମାଇକେଲ ଏଥରଟନ ଓ ନାସିର ହୁସେନଙ୍କ ଭଳି ଅଭିଜ୍ଞ କମେଣ୍ଟେଟରଙ୍କ ସହ ଚର୍ଚ୍ଚା କରିବା ଗୌରବର କଥା।"
ଏହି 36 ବର୍ଷୀୟ ଭାରତୀୟ କ୍ରିକେଟରଙ୍କ କମେଣ୍ଟ୍ରି ସହ ଆକଳନକୁ ଖୁବ ପ୍ରଶଂସା କରିଛନ୍ତି ଲୋକେ । ଏହାକୁ ନେଇ ମଜାଳିଆ ଢଙ୍ଗରେ କାର୍ତ୍ତିକ କହିଛନ୍ତି ଯେ, "ବାସ୍ତବରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ମୁଁ ଏକମାତ୍ର ପଦାର୍ପଣ କରୁଥିବା ଖେଳାଳି ଥିଲି।"
ଅବଶିଷ୍ଟ ଆଇପିଏଲ ମ୍ୟାଚ ପାଇଁ ଦୁବାଇ ଯିବା ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା 5ଟିକିଆ ଟେଷ୍ଟ ମ୍ୟାଚରେ ମଧ୍ୟ କମେଣ୍ଟ୍ରି କରିବେ ଦିନେଶ କାର୍ତ୍ତିକ । ସେ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ